< ଗୀତସଂହିତା 46 >
1 ପ୍ରଧାନ ବାଦ୍ୟକର ନିମନ୍ତେ କୋରହ-ସନ୍ତାନଗଣର ଗୀତ; ଅଲ୍ମୋତ୍ ସ୍ୱରର ଗୀତ। ପରମେଶ୍ୱର ଆମ୍ଭମାନଙ୍କର ଆଶ୍ରୟ ଓ ବଳ, ଦୁର୍ଦ୍ଦଶାକାଳରେ ଅତି ନିକଟବର୍ତ୍ତୀ ସହାୟ।
2 ଏଥିପାଇଁ ପୃଥିବୀ ପରିବର୍ତ୍ତିତ ହେଲେ ହେଁ ଓ ପର୍ବତଗଣ ସମୁଦ୍ର ମଧ୍ୟରେ ବିଚଳିତ ହେଲେ ହେଁ;
3 ତହିଁର ଜଳରାଶି ଗର୍ଜ୍ଜନ କରି ପ୍ରବଳ ହେଲେ ହେଁ, ତହିଁର ପ୍ଲାବନରେ ପର୍ବତଗଣ କମ୍ପିତ ହେଲେ ହେଁ ଆମ୍ଭେମାନେ ଭୟ କରିବା ନାହିଁ। (ସେଲା)
4 ନଦୀ ଗୋଟିଏ ଅଛି, ତହିଁର ସ୍ରୋତସମୂହ ପରମେଶ୍ୱରଙ୍କ ନଗରକୁ, ସର୍ବୋପରିସ୍ଥଙ୍କ ଆବାସର ପବିତ୍ର ସ୍ଥାନକୁ ଆନନ୍ଦିତ କରେ।
5 ପରମେଶ୍ୱର ସେହି ନଗରର ମଧ୍ୟବର୍ତ୍ତୀ; ତାହା ବିଚଳିତ ହେବ ନାହିଁ। ପରମେଶ୍ୱର ଅତି ପ୍ରଭାତରେ ତାହାର ସାହାଯ୍ୟ କରିବେ।
6 ଗୋଷ୍ଠୀସବୁ ଗର୍ଜ୍ଜନ କଲେ, ରାଜ୍ୟସବୁ ବିଚଳିତ ହେଲେ; ସେ ଆପଣା ରବ ଉଚ୍ଚାରଣ କଲେ, ପୃଥିବୀ ତରଳି ଗଲା।
7 ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭମାନଙ୍କର ସହବର୍ତ୍ତୀ, ଯାକୁବର ପରମେଶ୍ୱର ଆମ୍ଭମାନଙ୍କର ଆଶ୍ରୟ ଅଟନ୍ତି।
8 ଆସ, ସଦାପ୍ରଭୁଙ୍କର କାର୍ଯ୍ୟସବୁ ଦେଖ, ସେ ପୃଥିବୀରେ କି ପ୍ରକାର ଉଜାଡ଼ କରିଅଛନ୍ତି!
9 ସେ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଯୁଦ୍ଧ ନିବୃତ୍ତ କରନ୍ତି; ସେ ଧନୁ ଭାଙ୍ଗି ପକାନ୍ତି ଓ ବର୍ଚ୍ଛା କାଟି ଖଣ୍ଡ ଖଣ୍ଡ କରନ୍ତି; ସେ ରଥସବୁ ଅଗ୍ନିରେ ପୋଡ଼ି ପକାନ୍ତି।
10 “କ୍ଷାନ୍ତ ହୁଅ, ଆମ୍ଭେ ପରମେଶ୍ୱର ଅଟୁ, ଏହା ଜାଣ; ଆମ୍ଭେ ଦେଶୀୟମାନଙ୍କ ମଧ୍ୟରେ ଉନ୍ନତ ହେବୁ, ଆମ୍ଭେ ପୃଥିବୀରେ ଉନ୍ନତ ହେବୁ।”
11 ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭମାନଙ୍କର ସହବର୍ତ୍ତୀ; ଯାକୁବର ପରମେଶ୍ୱର ଆମ୍ଭମାନଙ୍କର ଆଶ୍ରୟ ଅଟନ୍ତି। (ସେଲା)