< ଗୀତସଂହିତା 2 >
1 ଗୋଷ୍ଠୀୟମାନେ କାହିଁକି କଳହ କରନ୍ତି; ଜନବୃନ୍ଦ କାହିଁକି ବୃଥାରେ ଷଡ଼ଯନ୍ତ୍ର କରନ୍ତି?
2 ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ତାହାଙ୍କ ଅଭିଷିକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଭୂପତିଗଣ ଠିଆ ହୁଅନ୍ତି ଓ ଶାସନକର୍ତ୍ତୃଗଣ ଏକତ୍ର ମନ୍ତ୍ରଣା କରନ୍ତି,
3 “ଆସ, ଆମ୍ଭେମାନେ ସେମାନଙ୍କ ବନ୍ଧନ ଛିଣ୍ଡାଇ ପକାଉ ଓ ଆମ୍ଭମାନଙ୍କ ନିକଟରୁ ସେମାନଙ୍କ ରଜ୍ଜୁ ଦୂର କରିଦେଉ।”
4 ଯେ ସ୍ୱର୍ଗରେ ଉପବିଷ୍ଟ, ସେ ହସିବେ; ପ୍ରଭୁ ସେମାନଙ୍କୁ ପରିହାସ କରିବେ।
5 ତହୁଁ ସେ ଆପଣା କୋପରେ ସେମାନଙ୍କୁ କଥା କହିବେ ଓ ଆପଣା ମହାକୋପରେ ସେମାନଙ୍କୁ ବ୍ୟାକୁଳ କରିବେ;
6 “ମାତ୍ର ମୁଁ ଆପଣା ରାଜାଙ୍କୁ ଆପଣା ପବିତ୍ର ପର୍ବତ ସିୟୋନରେ ସ୍ଥାପନ କରିଅଛି।”
7 ମୁଁ ସେହି ବିଧାନ ପ୍ରଚାର କରିବି; ସଦାପ୍ରଭୁ ମୋତେ କହିଲେ, “ତୁମ୍ଭେ ଆମ୍ଭର ପୁତ୍ର; ଆଜି ଆମ୍ଭେ ତୁମ୍ଭକୁ ଜନ୍ମ ଦେଲୁ।
8 ଆମ୍ଭ ନିକଟରେ ମାଗ, ତେବେ ଆମ୍ଭେ ତୁମ୍ଭର ଉତ୍ତରାଧିକାର ନିମନ୍ତେ ଗୋଷ୍ଠୀୟମାନଙ୍କୁ ଓ ତୁମ୍ଭର ଅଧିକାର ନିମନ୍ତେ ପୃଥିବୀର ପ୍ରାନ୍ତଭାଗସବୁ ତୁମ୍ଭକୁ ଦେବା।
9 ତୁମ୍ଭେ ଲୌହ ଦଣ୍ଡରେ ସେମାନଙ୍କୁ ଭାଙ୍ଗିବ; ତୁମ୍ଭେ କୁମ୍ଭକାରର ପାତ୍ର ପରି ସେମାନଙ୍କୁ ଚୂର୍ଣ୍ଣ କରିବ।”
10 ଏହି କାରଣରୁ, ହେ ରାଜାଗଣ, ତୁମ୍ଭେମାନେ ଏବେ ଜ୍ଞାନବାନ ହୁଅ, ହେ ପୃଥିବୀର ବିଚାରକର୍ତ୍ତୃଗଣ, ତୁମ୍ଭେମାନେ ଶିକ୍ଷା ଗ୍ରହଣ କର।
11 ଭୟରେ ସଦାପ୍ରଭୁଙ୍କର ସେବା କର ଓ କମ୍ପିତ ହୋଇ ଉଲ୍ଲାସ କର।
12 ପୁତ୍ରଙ୍କୁ ଚୁମ୍ବନ କର, ନୋହିଲେ ସେ କ୍ରୁଦ୍ଧ ହେବେ ଓ ତୁମ୍ଭେମାନେ ପଥରେ ବିନଷ୍ଟ ହେବ, କାରଣ ଶୀଘ୍ର ତାହାଙ୍କର କ୍ରୋଧ ପ୍ରଜ୍ୱଳିତ ହେବ। ଯେଉଁମାନେ ତାହାଙ୍କର ଶରଣ ନିଅନ୍ତି, ସେସମସ୍ତେ ଧନ୍ୟ।