< ବିଚାରକର୍ତ୍ତା 8 >

1 ଏଥିଉତ୍ତାରେ ଇଫ୍ରୟିମର ଲୋକମାନେ ଗିଦିୟୋନ୍‍ଙ୍କୁ କହିଲେ, “ତୁମ୍ଭେ ମିଦୀୟନ ସଙ୍ଗେ ଯୁଦ୍ଧ କରିବାକୁ ଗଲା ବେଳେ ଆମ୍ଭମାନଙ୍କୁ ଯେ ଡାକିଲ ନାହିଁ, ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଏ କି କଥା କଲ?” ପୁଣି ସେମାନେ ତାଙ୍କ ସଙ୍ଗରେ ଅତ୍ୟନ୍ତ ବିବାଦ କଲେ।
ויאמרו אליו איש אפרים מה הדבר הזה עשית לנו לבלתי קראות לנו כי הלכת להלחם במדין ויריבון אתו בחזקה׃
2 ଏଥିରେ ସେ ସେମାନଙ୍କୁ କହିଲେ, “ଏବେ ତୁମ୍ଭମାନଙ୍କ ତୁଲ୍ୟ ମୁଁ କେଉଁ କର୍ମ କରିଅଛି? ଅବୀୟେଷ୍ରୀୟର ସମସ୍ତ ଦ୍ରାକ୍ଷାଫଳ ସଂଗ୍ରହଠାରୁ କି ଇଫ୍ରୟିମର ଦ୍ରାକ୍ଷାଫଳ ରାଁ କରିବାର ଶ୍ରେଷ୍ଠ ନୁହେଁ?
ויאמר אליהם מה עשיתי עתה ככם הלוא טוב עללות אפרים מבציר אביעזר׃
3 ପରମେଶ୍ୱର ତୁମ୍ଭମାନଙ୍କ ହସ୍ତରେ ସିନା ମିଦୀୟନର ଓରେବ୍‍ ଓ ସେବ୍‍ ଦୁଇ ଅଧିପତିଙ୍କୁ ସମର୍ପଣ କଲେ, ମାତ୍ର ତୁମ୍ଭମାନଙ୍କ ତୁଲ୍ୟ ମୁଁ କେଉଁ କର୍ମ କରି ପାରିଲି?” ତେବେ ତାଙ୍କର ଏହି କଥା କହିବାରେ ତାଙ୍କ ପ୍ରତି ସେମାନଙ୍କର କ୍ରୋଧ ନିବୃତ୍ତ ହେଲା।
בידכם נתן אלהים את שרי מדין את ערב ואת זאב ומה יכלתי עשות ככם אז רפתה רוחם מעליו בדברו הדבר הזה׃
4 ଏଉତ୍ତାରେ ଗିଦିୟୋନ୍‍ ଯର୍ଦ୍ଦନକୁ ଆସି ତାହା ପାର ହେଲେ; ସେ ଓ ତାଙ୍କ ସଙ୍ଗୀ ସେହି ତିନି ଶହ ଲୋକ କ୍ଳାନ୍ତ ହେଲେ ହେଁ ପଛେ ପଛେ ଗୋଡ଼ାଉଥାଆନ୍ତି।
ויבא גדעון הירדנה עבר הוא ושלש מאות האיש אשר אתו עיפים ורדפים׃
5 ପୁଣି ସେ ସୁକ୍କୋତର ଲୋକମାନଙ୍କୁ କହିଲେ, “ମୁଁ ନିବେଦନ କରୁଅଛି, ଆମ୍ଭର ପଶ୍ଚାଦ୍‍ଗାମୀ ଲୋକମାନଙ୍କୁ ରୁଟି ଦିଅ; କାରଣ ସେମାନେ କ୍ଳାନ୍ତ ହୋଇଅଛନ୍ତି ଓ ମୁଁ ମିଦୀୟନର ରାଜା ସେବହ ଓ ସଲମୁନ୍ନର ପଛେ ପଛେ ଗୋଡ଼ାଉଅଛି।”
ויאמר לאנשי סכות תנו נא ככרות לחם לעם אשר ברגלי כי עיפים הם ואנכי רדף אחרי זבח וצלמנע מלכי מדין׃
6 ତହିଁରେ ସୁକ୍କୋତର ଅଧିପତିମାନେ କହିଲେ, “ସେବହ ଓ ସଲମୁନ୍ନର ହାତ ତୁମ୍ଭର ହସ୍ତଗତ ହେଲାଣି ଯେ, ଆମ୍ଭେମାନେ ତୁମ୍ଭ ସୈନ୍ୟଗଣକୁ ରୁଟି ଦେବୁ?”
ויאמר שרי סכות הכף זבח וצלמנע עתה בידך כי נתן לצבאך לחם׃
7 ତହିଁରେ ଗିଦିୟୋନ୍‍ କହିଲେ, “ଏସକାଶୁ ସଦାପ୍ରଭୁ ସେବହ ଓ ସଲମୁନ୍ନକୁ ମୋʼ ହସ୍ତରେ ସମର୍ପଣ କଲେ, ମୁଁ ପ୍ରାନ୍ତରର କାନକୋଳି କଣ୍ଟକାଦି ଦ୍ୱାରା ତୁମ୍ଭମାନଙ୍କ ମାଂସ ଚିରିବି।”
ויאמר גדעון לכן בתת יהוה את זבח ואת צלמנע בידי ודשתי את בשרכם את קוצי המדבר ואת הברקנים׃
8 ତହୁଁ ସେ ସେଠାରୁ ପନୂୟେଲକୁ ଉଠିଯାଇ ସେଠାର ଲୋକମାନଙ୍କୁ ସେହିପରି କହିଲେ, ତହିଁରେ ସୁକ୍କୋତର ଲୋକମାନେ ଯେପରି ଉତ୍ତର କରିଥିଲେ, ପନୂୟେଲର ଲୋକମାନେ ମଧ୍ୟ ସେହିପରି ଉତ୍ତର ଦେଲେ।
ויעל משם פנואל וידבר אליהם כזאת ויענו אותו אנשי פנואל כאשר ענו אנשי סכות׃
9 ତେବେ ସେ ପନୂୟେଲର ସେହି ଲୋକମାନଙ୍କୁ କହିଲେ, “ମୁଁ କୁଶଳରେ ଫେରି ଆସିଲେ (ତୁମ୍ଭମାନଙ୍କ) ଏହି ଗଡ଼ ଭାଙ୍ଗି ପକାଇବି।”
ויאמר גם לאנשי פנואל לאמר בשובי בשלום אתץ את המגדל הזה׃
10 ଏହି ସମୟରେ ସେବହ ଓ ସଲମୁନ୍ନ କର୍କୋରରେ ଥିଲେ ଓ ସେମାନଙ୍କର ସଙ୍ଗୀ ସୈନ୍ୟଦଳ ଊଣାଧିକ ପନ୍ଦର ହଜାର ଲୋକ ଥିଲେ; ପୂର୍ବଦେଶୀୟ ଲୋକମାନଙ୍କର ସମସ୍ତ ସୈନ୍ୟଦଳ ମଧ୍ୟରୁ ଏମାନେ କେବଳ ଅବଶିଷ୍ଟ ରହିଥିଲେ; କାରଣ ଖଡ୍ଗଧାରୀ ଏକ ଲକ୍ଷ କୋଡ଼ିଏ ହଜାର ଲୋକ ହତ ହୋଇଥିଲେ।
וזבח וצלמנע בקרקר ומחניהם עמם כחמשת עשר אלף כל הנותרים מכל מחנה בני קדם והנפלים מאה ועשרים אלף איש שלף חרב׃
11 ଏଉତ୍ତାରେ ଗିଦିୟୋନ୍‍ ନୋବହ ଓ ଯଗ୍‍ବିହର ପୂର୍ବ ଦିଗରେ ତମ୍ବୁ ନିବାସୀମାନଙ୍କ ପଥ ଦେଇ ଉଠିଯାଇ ସେହି ସୈନ୍ୟଦଳକୁ ଆଘାତ କଲେ; ଯେହେତୁ ସେହି ସୈନ୍ୟଦଳ ନିର୍ଭୟରେ ଥିଲେ।
ויעל גדעון דרך השכוני באהלים מקדם לנבח ויגבהה ויך את המחנה והמחנה היה בטח׃
12 ସେତେବେଳେ ସେବହ ଓ ସଲମୁନ୍ନ ପଳାୟନ କଲେ; ଏଣୁ ସେ ସେମାନଙ୍କର ପଛେ ପଛେ ଗୋଡ଼ାଇଲେ; ପୁଣି ମିଦୀୟନର ସେହି ଦୁଇ ରାଜା ସେବହ ଓ ସଲମୁନ୍ନକୁ ଧରି ସମସ୍ତ ସୈନ୍ୟଙ୍କୁ ଉଦ୍‍ବିଗ୍ନ କଲେ।
וינוסו זבח וצלמנע וירדף אחריהם וילכד את שני מלכי מדין את זבח ואת צלמנע וכל המחנה החריד׃
13 ତହୁଁ ଯୋୟାଶ୍‍ର ପୁତ୍ର ଗିଦିୟୋନ୍‍ ହେରସର ଘାଟି ଦେଇ ଯୁଦ୍ଧରୁ ଫେରି ଆସିଲେ।
וישב גדעון בן יואש מן המלחמה מלמעלה החרס׃
14 ପୁଣି ସେ ସୁକ୍କୋତର ଲୋକମାନଙ୍କ ମଧ୍ୟରୁ ଜଣେ ଯୁବାକୁ ଧରି ପଚାରିଲେ; ତହିଁରେ ସେ ସୁକ୍କୋତର ଅଧିପତି ଓ ତହିଁର ପ୍ରାଚୀନମାନଙ୍କ ସତସ୍ତରି ଜଣର ନାମ ତାଙ୍କ ପାଇଁ ଲେଖାଇ ଦେଲା।
וילכד נער מאנשי סכות וישאלהו ויכתב אליו את שרי סכות ואת זקניה שבעים ושבעה איש׃
15 ଏଥିଉତ୍ତାରେ ସେ ସୁକ୍କୋତର ଲୋକମାନଙ୍କ ନିକଟକୁ ଆସି କହିଲେ, “ସେବହ ଓ ସଲମୁନ୍ନକୁ ଦେଖ, ଏମାନଙ୍କ ବିଷୟରେ ତୁମ୍ଭେମାନେ ପରା ଆମ୍ଭକୁ ତୁଚ୍ଛ କରି କହିଥିଲ, ‘ସେବହ ଓ ସଲମୁନ୍ନର ହାତ କି ତୁମ୍ଭର ହସ୍ତଗତ ହେଲାଣି ଯେ, ଆମ୍ଭେମାନେ ତୁମ୍ଭର କ୍ଳାନ୍ତ ଲୋକମାନଙ୍କୁ ରୁଟି ଦେବୁ?’”
ויבא אל אנשי סכות ויאמר הנה זבח וצלמנע אשר חרפתם אותי לאמר הכף זבח וצלמנע עתה בידך כי נתן לאנשיך היעפים לחם׃
16 ତହୁଁ ସେ ସେହି ନଗରର ପ୍ରାଚୀନମାନଙ୍କୁ ଧରିଲେ ଓ ପ୍ରାନ୍ତରର କାନକୋଳି କଣ୍ଟକାଦି ନେଇ ତଦ୍ଦ୍ୱାରା ସୁକ୍କୋତର ଲୋକମାନଙ୍କୁ ଶିକ୍ଷା ଦେଲେ।
ויקח את זקני העיר ואת קוצי המדבר ואת הברקנים וידע בהם את אנשי סכות׃
17 ପୁଣି ସେ ପନୂୟେଲ ଗଡ଼ ଭାଙ୍ଗି ପକାଇଲେ ଓ ନଗରସ୍ଥ ଲୋକମାନଙ୍କୁ ବଧ କଲେ।
ואת מגדל פנואל נתץ ויהרג את אנשי העיר׃
18 ଆଉ ସେ ସେବହକୁ ଓ ସଲମୁନ୍ନକୁ କହିଲେ, “ତୁମ୍ଭେମାନେ ତାବୋରରେ ଯେଉଁ ଲୋକମାନଙ୍କୁ ବଧ କଲ, ସେମାନେ କି ପ୍ରକାର ଲୋକ?” ତହିଁରେ ସେମାନେ ଉତ୍ତର କଲେ, “ଆପଣ ଯେପରି ସେମାନେ ସେପରି, ପ୍ରତ୍ୟେକେ ରାଜପୁତ୍ର ପରି ଥିଲେ।”
ויאמר אל זבח ואל צלמנע איפה האנשים אשר הרגתם בתבור ויאמרו כמוך כמוהם אחד כתאר בני המלך׃
19 ତେବେ ସେ କହିଲେ, “ସେମାନେ ତ ମୋହର ଭାଇ, ମୋʼ ମାତାର ପୁତ୍ର; ମୁଁ ଜୀବିତ ସଦାପ୍ରଭୁଙ୍କ ନାମ ନେଇ କହୁଅଛି, ତୁମ୍ଭେମାନେ ଯେବେ ସେମାନଙ୍କୁ ବଞ୍ଚାଇ ରଖିଥାʼନ୍ତ ତେବେ ମୁଁ ତୁମ୍ଭମାନଙ୍କୁ ବଧ କରନ୍ତି ନାହିଁ।”
ויאמר אחי בני אמי הם חי יהוה לו החיתם אותם לא הרגתי אתכם׃
20 ତହୁଁ ସେ ଆପଣା ଜ୍ୟେଷ୍ଠ ପୁତ୍ର ଯେଥରକୁ କହିଲେ, “ଉଠ, ସେମାନଙ୍କୁ ବଧ କର,” ମାତ୍ର ସେ ଯୁବା ଆପଣା ଖଡ୍ଗ ବାହାର କଲା ନାହିଁ, କାରଣ ସେ ଯୁବା ଥିବାରୁ ଭୟ କଲା।
ויאמר ליתר בכורו קום הרג אותם ולא שלף הנער חרבו כי ירא כי עודנו נער׃
21 ତହିଁରେ ସେବହ ଓ ସଲମୁନ୍ନ କହିଲେ, “ତୁମ୍ଭେ ଉଠି ଆମ୍ଭମାନଙ୍କୁ ଆଘାତ କର; କାରଣ ଯେ ଯେପରି ପୁରୁଷ, ତାହାର ସେପରି ବୀରତ୍ୱ।” ଏଉତ୍ତାରେ ଗିଦିୟୋନ୍‍ ଉଠି ସେବହକୁ ଓ ସଲମୁନ୍ନକୁ ବଧ କଲେ, ପୁଣି ସେମାନଙ୍କ ଓଟମାନଙ୍କ ଗଳାର ସମସ୍ତ ଚନ୍ଦ୍ରହାର କାଢ଼ି ନେଲେ।
ויאמר זבח וצלמנע קום אתה ופגע בנו כי כאיש גבורתו ויקם גדעון ויהרג את זבח ואת צלמנע ויקח את השהרנים אשר בצוארי גמליהם׃
22 ଏଥିଉତ୍ତାରେ ଇସ୍ରାଏଲ ଲୋକମାନେ ଗିଦିୟୋନ୍‍ଙ୍କୁ କହିଲେ, “ତୁମ୍ଭେ ଓ ତୁମ୍ଭ ପୁତ୍ର, ମଧ୍ୟ ତୁମ୍ଭ ପୁତ୍ରର ପୁତ୍ର ଆମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କର; କାରଣ ତୁମ୍ଭେ ମିଦୀୟନର ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିଅଛ।”
ויאמרו איש ישראל אל גדעון משל בנו גם אתה גם בנך גם בן בנך כי הושעתנו מיד מדין׃
23 ତହିଁରେ ଗିଦିୟୋନ୍‍ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବି ନାହିଁ, କିଅବା ମୋʼ ପୁତ୍ର ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବ ନାହିଁ; ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବେ।”
ויאמר אלהם גדעון לא אמשל אני בכם ולא ימשל בני בכם יהוה ימשל בכם׃
24 ପୁଣି ଗିଦିୟୋନ୍‍ ସେମାନଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କ ନିକଟରେ ଏହି ନିବେଦନ କରୁଅଛି ଯେ, ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଲୁଟିତ ନଥ ଆମ୍ଭକୁ ଦିଅ।” କାରଣ ସେମାନେ ଇଶ୍ମାୟେଲୀୟ ଲୋକ ଥିବାରୁ ସେମାନଙ୍କର ସୁବର୍ଣ୍ଣ ନଥ ଥିଲା।
ויאמר אלהם גדעון אשאלה מכם שאלה ותנו לי איש נזם שללו כי נזמי זהב להם כי ישמעאלים הם׃
25 ତହିଁରେ ସେମାନେ ଉତ୍ତର କଲେ, “ଆମ୍ଭେମାନେ ତାହା ଅବଶ୍ୟ ଦେବୁ।” ପୁଣି ସେମାନେ ବସ୍ତ୍ର ବିଛାଇ ପ୍ରତ୍ୟେକେ ତହିଁ ମଧ୍ୟରେ ଆପଣା ଆପଣା ଲୁଟିତ ନଥ ପକାଇଲେ।
ויאמרו נתון נתן ויפרשו את השמלה וישליכו שמה איש נזם שללו׃
26 ତହିଁରେ ଚନ୍ଦ୍ରହାର ଓ ଝୁମୁକା ଓ ମିଦୀୟନୀୟ ରାଜାମାନଙ୍କ ପରିଧେୟ ବାଇଗଣିଆ ରଙ୍ଗ ବସ୍ତ୍ର ଓ ସେମାନଙ୍କ ଓଟର ଗଳାହାର ଛଡ଼ା ତାଙ୍କର ବାଞ୍ଛିତ ସୁବର୍ଣ୍ଣ ନଥର ପରିମାଣ ଏକ ସହସ୍ର ସାତ ଶହ ଶେକଲ ସୁବର୍ଣ୍ଣ ହେଲା।
ויהי משקל נזמי הזהב אשר שאל אלף ושבע מאות זהב לבד מן השהרנים והנטפות ובגדי הארגמן שעל מלכי מדין ולבד מן הענקות אשר בצוארי גמליהם׃
27 ତହୁଁ ଗିଦିୟୋନ୍‍ ତହିଁରେ ଏକ ଏଫୋଦ ବନାଇ ଆପଣାର ଅଫ୍ରା ନାମକ ନଗରରେ ରଖିଲେ; ଆଉ ସମସ୍ତ ଇସ୍ରାଏଲ ତହିଁର ପଶ୍ଚାଦ୍‍ଗମନ କରି ସେଠାରେ ବ୍ୟଭିଚାରୀ ହେଲେ; ପୁଣି ତାହା ଗିଦିୟୋନ୍‍ଙ୍କ ପ୍ରତି ଓ ତାଙ୍କର ବଂଶ ପ୍ରତି ଫାନ୍ଦ ସ୍ୱରୂପ ହେଲା।
ויעש אותו גדעון לאפוד ויצג אותו בעירו בעפרה ויזנו כל ישראל אחריו שם ויהי לגדעון ולביתו למוקש׃
28 ଏହିରୂପେ ମିଦୀୟନ ଇସ୍ରାଏଲ ସନ୍ତାନମାନଙ୍କ ସମ୍ମୁଖରେ ବଶୀଭୂତ ହେଲା ଓ ସେମାନେ ଆଉ ଆପଣାମାନଙ୍କ ମସ୍ତକ ଉଠାଇଲେ ନାହିଁ। ତହୁଁ ଗିଦିୟୋନ୍‍ଙ୍କର ସମୟରେ ଦେଶ ଚାଳିଶ ବର୍ଷ ବିଶ୍ରାମ ପାଇଲା।
ויכנע מדין לפני בני ישראל ולא יספו לשאת ראשם ותשקט הארץ ארבעים שנה בימי גדעון׃
29 ଏଥିଉତ୍ତାରେ ଯୋୟାଶ୍‍ର ପୁତ୍ର ଯିରୁବ୍ବାଲ୍‍ ଯାଇ ତାଙ୍କ ନିଜ ଗୃହରେ ବାସ କଲେ।
וילך ירבעל בן יואש וישב בביתו׃
30 ସେହି ଗିଦିୟୋନ୍‍ର ଔରସଜାତ ସତୁରି ଜଣ ପୁତ୍ର ଥିଲେ; କାରଣ ତାଙ୍କର ଅନେକ ଭାର୍ଯ୍ୟା ଥିଲେ।
ולגדעון היו שבעים בנים יצאי ירכו כי נשים רבות היו לו׃
31 ପୁଣି ଶିଖିମରେ ତାଙ୍କର ଯେଉଁ ଉପପତ୍ନୀ ଥିଲା, ସେ ମଧ୍ୟ ତାଙ୍କର ଏକ ପୁତ୍ର ଜନ୍ମ କଲା, ତହିଁରେ ସେ ତାହାର ନାମ ଅବୀମେଲକ୍‍ ରଖିଲେ।
ופילגשו אשר בשכם ילדה לו גם היא בן וישם את שמו אבימלך׃
32 ଏଥିଉତ୍ତାରେ ଯୋୟାଶ୍‍ର ପୁତ୍ର ଗିଦିୟୋନ୍‍ ଉତ୍ତମ ବୃଦ୍ଧାବସ୍ଥାରେ ମଲେ, ପୁଣି ଅବୀୟେଷ୍ରୀୟମାନଙ୍କ ଅଫ୍ରାରେ ତାଙ୍କ ପିତା ଯୋୟାଶ୍‍ର କବରରେ କବର ପାଇଲେ।
וימת גדעון בן יואש בשיבה טובה ויקבר בקבר יואש אביו בעפרה אבי העזרי׃
33 ଏଥିଉତ୍ତାରେ ଗିଦିୟୋନ୍‍ ମଲା କ୍ଷଣି ଇସ୍ରାଏଲ ଲୋକମାନେ ଫେରି ବାଲ୍‍ ଦେବତାଗଣର ପଶ୍ଚାଦ୍‍ଗାମୀ ହୋଇ ବ୍ୟଭିଚାରୀ ହେଲେ, ପୁଣି ବାଲ୍‍-ବରୀତକୁ ଆପଣାମାନଙ୍କର ଦେବତା ମାନିଲେ।
ויהי כאשר מת גדעון וישובו בני ישראל ויזנו אחרי הבעלים וישימו להם בעל ברית לאלהים׃
34 ଆଉ ଚତୁର୍ଦ୍ଦିଗସ୍ଥିତ ଶତ୍ରୁଗଣ ହସ୍ତରୁ ଇସ୍ରାଏଲ-ସନ୍ତାନଗଣକୁ ରକ୍ଷା କରିଥିଲେ ଯେଉଁ ସଦାପ୍ରଭୁ ସେମାନଙ୍କ ପରମେଶ୍ୱର, ତାହାଙ୍କୁ ସେମାନେ ସ୍ମରଣ କଲେ ନାହିଁ।
ולא זכרו בני ישראל את יהוה אלהיהם המציל אותם מיד כל איביהם מסביב׃
35 କିଅବା ଯିରୁବ୍ବାଲ୍‍, ଅର୍ଥାତ୍‍, ଗିଦିୟୋନ୍‍ ଇସ୍ରାଏଲ ପ୍ରତି ଯେରୂପ ସଦୟ ହୋଇଥିଲେ, ସେମାନେ ତଦନୁସାରେ ତାଙ୍କର ବଂଶ ପ୍ରତି ଦୟା ବ୍ୟବହାର କଲେ ନାହିଁ।
ולא עשו חסד עם בית ירבעל גדעון ככל הטובה אשר עשה עם ישראל׃

< ବିଚାରକର୍ତ୍ତା 8 >