< ଯାକୁବ 4 >
1 ବିଶ୍ୱାସୀମାନଙ୍କ ମଧ୍ୟରେ ଯୁଦ୍ଧ ଓ ବିବାଦ କେଉଁଠାରୁ ହୁଏ? କଅଣ ତୁମ୍ଭମାନଙ୍କ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟରେ ଯୁଦ୍ଧ କରୁଥିବା ସୁଖାଭିଳାଷରୁ ନୁହେଁ?
2 ତୁମ୍ଭେମାନେ କାମନା କରିଥାଅ; କିନ୍ତୁ ପାଇ ନ ଥାଅ; ତୁମ୍ଭେମାନେ ବଧ ଓ ଈର୍ଷା କରିଥାଅ, କିନ୍ତୁ ପ୍ରାପ୍ତ ହେବାକୁ ଅକ୍ଷମ ହୋଇଥାଅ; ତୁମ୍ଭେମାନେ ବିବାଦ ଓ ଯୁଦ୍ଧ କରିଥାଅ, ତୁମ୍ଭେମାନେ ପାଇ ନ ଥାଅ, କାରଣ ତୁମ୍ଭେମାନେ ମାଗି ନ ଥାଅ;
3 ତୁମ୍ଭେମାନେ ମାଗିଥାଅ, କିନ୍ତୁ ପାଇ ନ ଥାଅ, କାରଣ ଆପଣା ଆପଣା ସୁଖାଭିଳାଷରେ ବ୍ୟୟ କରିବା ନିମନ୍ତେ ମନ୍ଦ ଅଭିପ୍ରାୟରେ ମାଗିଥାଅ।
4 ହେ ବ୍ୟଭିଚାରିଣୀମାନେ, ଜଗତର ମିତ୍ରତା ଈଶ୍ବରଙ୍କର ଶତ୍ରୁତା, ଏହା କଅଣ ଜାଣ ନାହିଁ? ଅତଏବ, ଯେ କେହି ଜଗତର ମିତ୍ର ହେବାକୁ ଇଚ୍ଛା କରେ ସେ ଆପଣାକୁ ଈଶ୍ବରଙ୍କ ଶତ୍ରୁ ବୋଲି ପ୍ରତିପନ୍ନ କରେ।
5 ନା ତୁମ୍ଭେମାନେ କଅଣ ଧର୍ମଶାସ୍ତ୍ରର ଏହି ବାକ୍ୟକୁ ବ୍ୟର୍ଥ ବୋଲି ମନେ କରୁଅଛ; ଯେଉଁ ପବିତ୍ର ଆତ୍ମାଙ୍କୁ ସେ ଆମ୍ଭମାନଙ୍କ ମଧ୍ୟରେ ବାସ କରିବାକୁ ଦେଇଅଛନ୍ତି, ସେ ଆମ୍ଭମାନଙ୍କୁ ସମ୍ପୂର୍ଣ୍ଣ ଅଧିକାର କରିବା ନିମନ୍ତେ ଏକାନ୍ତ କାମନା କରନ୍ତି?
6 କିନ୍ତୁ ସେ ମଧ୍ୟ ଅଧିକ ଅନୁଗ୍ରହ ଦାନ କରନ୍ତି; ଏଣୁ ଶାସ୍ତ୍ରରେ ଉକ୍ତ ଅଛି, “ଈଶ୍ବର ଅହଙ୍କାରୀମାନଙ୍କୁ ପ୍ରତିରୋଧ କରନ୍ତି, କିନ୍ତୁ ନମ୍ର ଲୋକମାନଙ୍କୁ ଅନୁଗ୍ରହ ଦାନ କରନ୍ତି।”
7 ଅତଏବ, ତୁମ୍ଭେମାନେ ଈଶ୍ବରଙ୍କର ବଶୀଭୂତ ହୁଅ; ଶୟତାନକୁ ପ୍ରତିବାଦ କର, ତାହାହେଲେ ସେ ତୁମ୍ଭମାନଙ୍କ ନିକଟରୁ ପଳାଇଯିବ।
8 ଈଶ୍ବରଙ୍କର ନିକଟବର୍ତ୍ତୀ ହୁଅ, ସେଥିରେ ସେ ତୁମ୍ଭମାନଙ୍କର ନିକଟବର୍ତ୍ତୀ ହେବେ। ହେ ପାପୀମାନେ, ତୁମ୍ଭମାନଙ୍କ ହସ୍ତ ଶୁଚି କର, ପୁଣି, ହେ ଦ୍ୱିମନାମାନେ, ତୁମ୍ଭମାନଙ୍କ ହୃଦୟ ଶୁଦ୍ଧ କର।
9 ଖେଦଯୁକ୍ତ ଓ ଶୋକାର୍ତ୍ତ ହୋଇ ରୋଦନ କର; ତୁମ୍ଭମାନଙ୍କ ହାସ୍ୟ ଶୋକରେ ଓ ତୁମ୍ଭମାନଙ୍କ ଆନନ୍ଦ ବିଷାଦରେ ପରିଣତ ହେଉ।
10 ପ୍ରଭୁଙ୍କ ଛାମୁରେ ଆପଣା ଆପଣାକୁ ନତ କର, ତାହାହେଲେ ସେ ତୁମ୍ଭମାନଙ୍କୁ ଉନ୍ନତ କରିବେ।
11 ହେ ଭାଇମାନେ, ତୁମ୍ଭେମାନେ ପରସ୍ପରର ଗ୍ଳାନି କର ନାହିଁ; ଯେ ଭାଇର ଗ୍ଳାନି କରେ କିମ୍ବା ଭାଇର ବିଚାର କରେ, ସେ ବ୍ୟବସ୍ଥାର ଗ୍ଲାନି କରେ ଓ ସେଥିର ବିଚାର କରେ; କିନ୍ତୁ ତୁମ୍ଭେ ଯଦି ବ୍ୟବସ୍ଥାର ବିଚାର କର, ତାହାହେଲେ ତୁମ୍ଭେ ବ୍ୟବସ୍ଥାର ପାଳନକାରୀ ନ ହୋଇ ସେଥିର ବିଚାରକର୍ତ୍ତା ଅଟ।
12 ବ୍ୟବସ୍ଥାଦାତା ଓ ବିଚାରକର୍ତ୍ତା ଜଣେ ମାତ୍ର, ସେ ରକ୍ଷା ଓ ବିନାଶ କରିବାକୁ ସମର୍ଥ; କିନ୍ତୁ ପ୍ରତିବାସୀର ବିଚାର କରୁଅଛ ଯେ ତୁମ୍ଭେ, ତୁମ୍ଭେ କିଏ?
13 ଏବେ ଦେଖ, ଯେଉଁମାନେ କହୁଅଛ, ଆଜି କିମ୍ବା କାଲି ଆମ୍ଭେମାନେ ଅମୁକ ସହରକୁ ଯିବୁ ଓ ସେଠାରେ ଏକ ବର୍ଷ ପର୍ଯ୍ୟନ୍ତ ରହି ବାଣିଜ୍ୟ ବ୍ୟବସାୟ କରି ଲାଭ କରିବୁ;
14 କିନ୍ତୁ କାଲି କଅଣ ଘଟିବ, ତାହା ତ ତୁମ୍ଭେମାନେ ଜାଣ ନାହିଁ। ତୁମ୍ଭମାନଙ୍କର ଜୀବନ କଅଣ? କ୍ଷଣକେ ଦୃଶ୍ୟ ହୋଇ ଅଦୃଶ୍ୟ ହୁଏ ଯେଉଁ ବାଷ୍ପ, ତୁମ୍ଭେମାନେ ତ ତାହା ସଦୃଶ।
15 ଏଣୁ ପ୍ରଭୁଙ୍କ ଇଚ୍ଛା ହେଲେ ଆମ୍ଭେମାନେ ଜୀବିତ ଥାଇ ଏହା କରିବା ବା ତାହା କରିବା, ଏହିପରି କହିବା ତୁମ୍ଭମାନଙ୍କର ଉଚିତ।
16 କିନ୍ତୁ ଏବେ ତୁମ୍ଭେମାନେ ଆପଣା ଆପଣା ଅହଂ ଭାବରେ ଗର୍ବ କରୁଅଛ; ଏପ୍ରକାର ଗର୍ବ ମନ୍ଦ ଅଟେ।
17 ଅତଏବ, ଯେ ସତ୍କର୍ମ କରିବାକୁ ଜାଣି ତାହା କରେ ନାହିଁ, ତାହାର ପାପ ହୁଏ।