< ଯିଶାଇୟ 47 >

1 ଆଗୋ ବାବିଲର ଅନୂଢ଼ା କନ୍ୟେ, ତୁମ୍ଭେ ଓହ୍ଲାଇ ଧୂଳିରେ ବସ; ଆଗୋ କଲ୍‍ଦୀୟର କନ୍ୟେ, ସିଂହାସନ ବିନା, ଭୂମିରେ ବସ; କାରଣ ତୁମ୍ଭେ ଆଉ କୋମଳା ଓ ସୁକୁମାରୀ ବୋଲି ଖ୍ୟାତା ନ ହେବ।
Come down, and sit in the dust, O virgin daughter of Babylon, sit on the ground without a throne, O daughter of the Chaldeans; for thou shalt no more be called tender and delicate.
2 ଚକି ନେଇ ଶସ୍ୟ ପେଷ, ତୁମ୍ଭର ଓଢ଼ଣି କାଢ଼, ପୋଷାକ କାଢ଼ି ପକାଅ, ପାଦ ଅନାବୃତ କର, ନଦ-ନଦୀରେ ଚାଲି କରି ଯାଅ।
Take the millstones, and grind meal; remove thy veil, strip off the train, uncover the leg, pass through the rivers.
3 ତୁମ୍ଭର ଉଲଙ୍ଗତା ପ୍ରକାଶିତ ହେବ, ହଁ, ତୁମ୍ଭର ଲଜ୍ଜାର ବିଷୟ ଦୃଶ୍ୟ ହେବ; ଆମ୍ଭେ ପରିଶୋଧ ନେବା, ପୁଣି କାହାରି ଅନୁରୋଧ ମାନିବା ନାହିଁ।
Thy nakedness shall be uncovered, yea, thy shame shall be seen; I will take vengeance, and will let no man intercede.
4 ଆମ୍ଭମାନଙ୍କର ମୁକ୍ତିଦାତା ଇସ୍ରାଏଲର ଧର୍ମସ୍ୱରୂପ, ସୈନ୍ୟାଧିପତି ସଦାପ୍ରଭୁ, ତାହାଙ୍କର ନାମ।
Our Redeemer, the LORD of hosts is His name, The Holy One of Israel.
5 ଆଗୋ କଲ୍‍ଦୀୟମାନଙ୍କର କନ୍ୟେ, ତୁମ୍ଭେ ଅନ୍ଧାରକୁ ଯାଇ ତୁନି ହୋଇ ବସ; କାରଣ ରାଜ୍ୟସମୂହର କର୍ତ୍ତୃତ୍ୱକାରିଣୀ ବୋଲି ତୁମ୍ଭେ ଆଉ ଖ୍ୟାତା ହେବ ନାହିଁ।
Sit thou silent, and get thee into darkness, O daughter of the Chaldeans; for thou shalt no more be called the mistress of kingdoms.
6 ଆମ୍ଭେ ଆପଣା ଲୋକମାନଙ୍କ ପ୍ରତି କ୍ରୁଦ୍ଧ ହୋଇ ଆପଣା ଅଧିକାର ଅପବିତ୍ର କଲୁ ଓ ତୁମ୍ଭ ହସ୍ତରେ ସେମାନଙ୍କୁ ସମର୍ପଣ କଲୁ; ତୁମ୍ଭେ ସେମାନଙ୍କ ପ୍ରତି କିଛି ଦୟା ପ୍ରକାଶ କଲ ନାହିଁ; ତୁମ୍ଭେ ବୃଦ୍ଧ ଲୋକ ଉପରେ ତୁମ୍ଭର ଯୁଆଳି ବଡ଼ ଭାରୀ କରି ଥୋଇଲ।
I was wroth with My people, I profaned Mine inheritance, and gave them into thy hand; thou didst show them no mercy; upon the aged hast thou very heavily laid thy yoke.
7 ପୁଣି, ତୁମ୍ଭେ କହିଲ, “ଆମ୍ଭେ ସଦାକାଳ କର୍ତ୍ତୃତ୍ୱକାରିଣୀ ହୋଇ ରହିବା;” ଏହେତୁ ତୁମ୍ଭେ ଏହିସବୁ ବିଷୟରେ ମନୋଯୋଗ କଲ ନାହିଁ, କିଅବା ତହିଁର ଶେଷ ଫଳ ସ୍ମରଣ କଲ ନାହିଁ।
And thou saidst: 'For ever shall I be mistress'; so that thou didst not lay these things to thy heart, neither didst remember the end thereof.
8 ଏହେତୁ ଗୋ ସୁଖଭୋଗିନୀ, ଏବେ ଏହା ଶୁଣ, ତୁମ୍ଭେ ନିର୍ଭୟରେ ବାସ କରି ମନେ ମନେ କହୁଅଛ, “ଆମ୍ଭେ ଅଛୁ, ଆମ୍ଭ ଛଡ଼ା ଆଉ କେହି ନାହିଁ; ଆମ୍ଭେ ବିଧବା ପରି ବସିବା ନାହିଁ, କିଅବା ସନ୍ତାନ-ବିରହ ଜାଣିବା ନାହିଁ,”
Now therefore hear this, thou that art given to pleasures, that sittest securely, that sayest in thy heart: 'I am, and there is none else beside me; I shall not sit as a widow, neither shall I know the loss of children';
9 ମାତ୍ର ସନ୍ତାନ-ବିରହ ଓ ବୈଧବ୍ୟ ଏ ଦୁଇ ଏକ ମୁହୂର୍ତ୍ତରେ, ଏକ ଦିନରେ ତୁମ୍ଭ ପ୍ରତି ଘଟିବ; ତୁମ୍ଭର ଅପାର ଗଣକତା ଓ ଅତି ପ୍ରଚୁର ମାୟାବୀତ୍ୱ ଥିଲେ ହେଁ, ସେ ଦୁଇ ସମ୍ପୂର୍ଣ୍ଣ ପରିମାଣରେ ତୁମ୍ଭ ପ୍ରତି ଘଟିବ।
But these two things shall come to thee in a moment in one day, the loss of children, and widowhood; in their full measure shall they come upon thee, for the multitude of thy sorceries, and the great abundance of thine enchantments.
10 କାରଣ ତୁମ୍ଭେ ଆପଣା ଦୁଷ୍ଟତାରେ ନିର୍ଭର ରଖିଅଛ; ତୁମ୍ଭେ କହିଅଛ, “କେହି ଆମ୍ଭକୁ ଦେଖୁ ନାହିଁ,” ତୁମ୍ଭର ଜ୍ଞାନ ଓ ବିଦ୍ୟା ତୁମ୍ଭକୁ ବିପଥଗାମୀ କରିଅଛି; ପୁଣି ତୁମ୍ଭେ ଆପଣା ମନେ ମନେ କହିଅଛ, “ଆମ୍ଭେ ଅଛୁ, ଆମ୍ଭ ଛଡ଼ା ଆଉ କେହି ନାହିଁ;”
And thou hast been secure in thy wickedness, thou hast said: 'None seeth me'; thy wisdom and thy knowledge, it hath perverted thee; and thou hast said in thy heart. 'I am, and there is none else beside me.'
11 ଏହେତୁ ତୁମ୍ଭ ପ୍ରତି ଦୁର୍ଦ୍ଦଶା ଘଟିବ, ତୁମ୍ଭେ ତହିଁର ଉଦୟ ଜାଣିବ ନାହିଁ; ପୁଣି, ତୁମ୍ଭ ଉପରେ ବିପଦ ପଡ଼ିବ, ତୁମ୍ଭେ ତାହା ଦୂର କରି ପାରିବ ନାହିଁ; ଆଉ, ଯାହା ତୁମ୍ଭେ ଜାଣୁ ନାହଁ, ଏପରି ବିନାଶ ହଠାତ୍‍ ତୁମ୍ଭ ଉପରେ ଘଟିବ।
Yet shall evil came upon thee; thou shalt not know how to charm it away; and calamity shall fall upon thee; thou shalt not be able to put it away; and ruin shall come upon thee suddenly, before thou knowest.
12 ତୁମ୍ଭେ ବାଲ୍ୟକାଳରୁ ଆପଣାର ଯେଉଁ ମାୟାବୀତ୍ୱ ଓ ଅପାର ଗଣକତାରେ ପରିଶ୍ରମ କରି ଆସିଅଛ, ଏବେ ତାହା ଅବଲମ୍ବନ କର। କେଜାଣି ଅବା ତୁମ୍ଭେ ଉପକାର ପାଇ ପାରିବ, କେଜାଣି ଅବା ତୁମ୍ଭେ ଜୟଯୁକ୍ତ ହୋଇ ପାରିବ।
Stand now with thine enchantments, and with the multitude of thy sorceries, wherein thou hast laboured from thy youth; if so be thou shalt be able to profit, if so be thou mayest prevail.
13 ତୁମ୍ଭେ ଆପଣାର ଅପାର ମନ୍ତ୍ରଣାରେ କ୍ଳାନ୍ତ ହୋଇଅଛ; ଏବେ ଜ୍ୟୋତିଷମାନେ, ନକ୍ଷତ୍ରଦର୍ଶୀମାନେ, ମାସିକ ଶୁଭାଶୁଭବାଦୀମାନେ ଠିଆ ହେଉନ୍ତୁ ଓ ତୁମ୍ଭ ପ୍ରତି ଯାହା ଯାହା ଘଟିବ, ତହିଁରୁ ତୁମ୍ଭକୁ ରକ୍ଷା କରନ୍ତୁ।
Thou art wearied in the multitude of thy counsels; let now the astrologers, the stargazers, the monthly prognosticators, stand up, and save thee from the things that shall come upon thee.
14 ଦେଖ, ସେମାନେ କୁଟା ପରି ହେବେ; ଅଗ୍ନି ସେମାନଙ୍କୁ ଦଗ୍ଧ କରିବ; ସେମାନେ ଅଗ୍ନିଶିଖାର ବଳରୁ ଆପଣାମାନଙ୍କୁ ଉଦ୍ଧାର କରି ପାରିବେ ନାହିଁ। ତାହା ଉଷ୍ଣ ହେବା ନିମନ୍ତେ ଜ୍ୱଳନ୍ତ ଅଙ୍ଗାର ଅବା ତହିଁ ସମ୍ମୁଖରେ ବସିବା ନିମନ୍ତେ ଅଗ୍ନି ସ୍ୱରୂପ ହେବ ନାହିଁ।
Behold, they shall be as stubble; the fire shall burn them; they shall not deliver themselves from the power of the flame; it shall not be a coal to warm at, nor a fire to sit before.
15 ଯେଉଁ ଯେଉଁ ବିଷୟରେ ତୁମ୍ଭେ ପରିଶ୍ରମ କରିଅଛ, ସେହି ସବୁ ତୁମ୍ଭ ପ୍ରତି ଏହିପରି ହେବ; ତୁମ୍ଭର ଯୌବନରୁ ଯେଉଁମାନେ ତୁମ୍ଭ ସହିତ ବାଣିଜ୍ୟ କରିଅଛନ୍ତି, ସେମାନଙ୍କର ପ୍ରତ୍ୟେକେ ଏଣେତେଣେ ଭ୍ରମଣ କରି ଆପଣା ଆପଣା ସ୍ଥାନକୁ ଯିବେ, ତୁମ୍ଭକୁ ରକ୍ଷା କରିବାକୁ କେହି ରହିବେ ନାହିଁ।
Thus shall they be unto thee with whom thou hast laboured; they that have trafficked with thee from thy youth shall wander every one to his quarter; there shall be none to save thee.

< ଯିଶାଇୟ 47 >