< ଉପଦେଶକ 11 >
1 ତୁମ୍ଭେ ଜଳ ଉପରେ ଆପଣା ଭକ୍ଷ୍ୟ ପକାଅ, କାରଣ ଅନେକ ଦିନ ଉତ୍ତାରେ ତାହା ପାଇବ।
2 ସାତଜଣକୁ, ବରଞ୍ଚ ଆଠ ଜଣକୁ ଅଂଶ ବିତରଣ କର; କାରଣ ପୃଥିବୀରେ କି ବିପଦ ଘଟିବ, ତାହା ତୁମ୍ଭେ ଜାଣ ନାହିଁ।
3 ମେଘମାଳ ବୃଷ୍ଟିରେ ପୂର୍ଣ୍ଣ ହେଲେ ପୃଥିବୀରେ ତାହା ଢାଳି ଦିଅନ୍ତି; ପୁଣି, ବୃକ୍ଷ ଯଦି ଦକ୍ଷିଣ କି ଉତ୍ତର ଦିଗରେ ପଡ଼େ, ତେବେ ଯେଉଁ ସ୍ଥାନରେ ପଡ଼େ, ସେହି ସ୍ଥାନରେ ରହିବ।
4 ଯେଉଁ ଲୋକ ପବନକୁ ଅନାଏ, ସେ ବୁଣିବ ନାହିଁ ଓ ଯେଉଁ ଲୋକ ମେଘକୁ ଅନାଏ, ସେ କାଟିବ ନାହିଁ।
5 ତୁମ୍ଭେ ଯେପରି ବାୟୁର ଗତି, ଅବା ଗର୍ଭବତୀର ଉଦରରେ ଅସ୍ଥି କିପରି ବଢ଼େ, ତାହା ଜାଣ ନାହିଁ, ସେପରି ସର୍ବସାଧକ ପରମେଶ୍ୱରଙ୍କ କର୍ମ ହିଁ ଜାଣ ନାହିଁ।
6 ତୁମ୍ଭେ ପ୍ରଭାତରେ ବୀଜ ବୁଣ ଓ ସନ୍ଧ୍ୟା ବେଳେ ଆପଣା ହସ୍ତ ବନ୍ଦ କର ନାହିଁ; କାରଣ ଏହା ଅବା ତାହା ସିଦ୍ଧ ହେବ, ଅବା ଉଭୟ ସମାନ ଉତ୍ତମ ହେବ, ଏହା ତୁମ୍ଭେ ଜାଣ ନାହିଁ।
7 ପ୍ରକୃତରେ ଆଲୁଅ ସୁଖଦାୟକ, ପୁଣି ଚକ୍ଷୁ ପକ୍ଷରେ ସୂର୍ଯ୍ୟ ଦର୍ଶନ ତୁଷ୍ଟିକର।
8 ହଁ, ଯଦି ମନୁଷ୍ୟ ଅନେକ ବର୍ଷ ବଞ୍ଚେ, ତେବେ ସେହି ସବୁରେ ସେ ଆନନ୍ଦ କରୁ; ମାତ୍ର ଅନ୍ଧକାରର ଦିନସବୁ ସେ ମନେ ରଖୁ, କାରଣ ସେହି ଦିନସବୁ ଅନେକ ହେବ। ଯାହା ଯାହା ଘଟେ, ସବୁ ଅସାର।
9 ହେ ଯୁବା ଲୋକ, ତୁମ୍ଭେ ଆପଣା ଯୌବନାବସ୍ଥାରେ ଆନନ୍ଦ କର ଓ ଯୌବନ କାଳରେ ତୁମ୍ଭର ଚିତ୍ତ ତୁମ୍ଭକୁ ହୃଷ୍ଟ କରୁ, ପୁଣି ଆପଣା ମନର ଗତିରେ ଓ ଆପଣା ଚକ୍ଷୁର ଦର୍ଶନରେ ଚାଲ; ମାତ୍ର ପରମେଶ୍ୱର ଏହିସବୁ ବିଷୟ ଧରି ତୁମ୍ଭକୁ ବିଚାରରେ ଆଣିବେ, ଏହା ତୁମ୍ଭେ ଜ୍ଞାତ ହୁଅ।
10 ଏହେତୁ ଆପଣା ହୃଦୟରୁ ବିରକ୍ତି ଦୂର କର ଓ ଆପଣା ଶରୀରରୁ ଦୁଃଖ ଦୂର କର; କାରଣ ଯୌବନ ଓ ଜୀବନର ଉତ୍ତମାଂଶ ଅସାର।