< ଦ୍ୱିତୀୟ ଶାମୁୟେଲ 13 >

1 ଏଥିଉତ୍ତାରେ ଏହି ଘଟଣା ହେଲା; ଦାଉଦଙ୍କର ପୁତ୍ର ଅବଶାଲୋମର ତାମର ନାମରେ ଏକ ସୁନ୍ଦରୀ ଭଉଣୀ ଥିଲା; ନିଜର ସାବତ ଭଉଣୀ ପ୍ରତି ଦାଉଦଙ୍କର ପୁତ୍ର ଅମ୍ନୋନ କାମାସକ୍ତ ହେଲା।
Et après cela, Absalom, fils de David, ayant une sœur nommée Tamar, qui était belle, il arriva qu’Amnon, fils de David, l’aima.
2 ପୁଣି ଅମ୍ନୋନ ଆପଣା ଭଉଣୀ ତାମର ଲାଗି ଏପରି ଆକୁଳ ହେଲା ଯେ, ସେ ପୀଡ଼ିତ ହେଲା; କାରଣ ତାମର ଅନୂଢ଼ା ଥିଲା ଓ ତାହା ପ୍ରତି କିଛି କରିବାକୁ ଅମ୍ନୋନକୁ କଷ୍ଟକର ବୋଧ ହେଲା।
Et Amnon fut tourmenté jusqu’à en tomber malade, à cause de Tamar, sa sœur; car elle était vierge, et il était trop difficile aux yeux d’Amnon de lui faire quoi que ce soit.
3 ମାତ୍ର ଦାଉଦଙ୍କର ଭ୍ରାତା ଶିମୀୟର ପୁତ୍ର ଯୋନାଦବ୍‍ ନାମରେ ଅମ୍ନୋନର ଜଣେ ବନ୍ଧୁ ଥିଲା; ସେହି ଯୋନାଦବ୍‍ ଅତି ଚତୁର।
Et Amnon avait un ami, nommé Jonadab, fils de Shimha, frère de David; et Jonadab était un homme très habile.
4 ଏଣୁ ଯୋନାଦବ୍‍ ଅମ୍ନୋନକୁ କହିଲା, “ହେ ରାଜପୁତ୍ର, ତୁମ୍ଭେ କାହିଁକି ଦିନକୁ ଦିନ ଏପରି କ୍ଷୀଣ ହୋଇ ଯାଉଅଛ; ମୋତେ କʼଣ ତାହା କହିବ ନାହିଁ?” ଏଥିରେ ଅମ୍ନୋନ ତାହାକୁ କହିଲା, “ମୁଁ ମୋର ଭ୍ରାତା ଅବଶାଲୋମର ଭଉଣୀ ତାମର ପ୍ରତି କାମାସକ୍ତ ଅଟେ।”
Et il lui dit: Pourquoi maigris-tu ainsi d’un matin à l’autre, toi, fils du roi? Ne me le déclareras-tu pas? Et Amnon lui dit: J’aime Tamar, sœur d’Absalom mon frère.
5 ଏଥିରେ ଯୋନାଦବ୍‍ ତାହାକୁ କହିଲା, “ତୁମ୍ଭେ ଶଯ୍ୟାରେ ପଡ଼ି ରୋଗର ବାହାନା କର; ପୁଣି ତୁମ୍ଭ ପିତା ତୁମ୍ଭକୁ ଦେଖିବାକୁ ଆସିଲେ ତାଙ୍କୁ କୁହ, ‘ମୋହର ଭଗିନୀ ତାମରକୁ ମୋʼ ନିକଟକୁ ଆସି ମୋତେ ଖାଦ୍ୟ ଦେବାକୁ ଅନୁମତି ଦେଉନ୍ତୁ, ସେ ମୋʼ ଆଗରେ ଖାଦ୍ୟ ରାନ୍ଧିବ, ତହିଁରେ ମୁଁ ତାହା ଦେଖି ତାହା ହାତରୁ ଭୋଜନ କରିବି।’”
Et Jonadab lui dit: Couche-toi sur ton lit et fais le malade; et ton père viendra te voir, et tu lui diras: Je te prie, que Tamar, ma sœur, vienne et qu’elle me donne à manger du pain, et qu’elle apprête devant mes yeux un mets, afin que je la voie, et que je le mange de sa main.
6 ଏଣୁ ଅମ୍ନୋନ ରୋଗର ବାହାନା କରି ପଡ଼ି ରହିଲା; ପୁଣି ରାଜା ତାହାକୁ ଦେଖିବାକୁ ଆସନ୍ତେ, ଅମ୍ନୋନ ରାଜାଙ୍କୁ କହିଲା, “ଦୟାକରି ମୋʼ ଭଗିନୀ ତାମରକୁ ଆସିବାକୁ ଦେଉନ୍ତୁ, ପୁଣି ମୁଁ ଦେଖିବା ସମୟରେ ସେ ମୋʼ ନିମନ୍ତେ ଦୁଇ ରୁଟି ପ୍ରସ୍ତୁତ କରୁ, ତହିଁରେ ମୁଁ ତାହା ହାତରୁ ଖାଇବି।”
Et Amnon se coucha et fit le malade; et le roi vint le voir, et Amnon dit au roi: Je te prie, que Tamar, ma sœur, vienne et prépare sous mes yeux deux beignets, et que je les mange de sa main.
7 ତେବେ ଦାଉଦ ତାମରର ଗୃହକୁ ଲୋକ ପଠାଇ କହିଲେ, “ତୁମ୍ଭ ଭାଇ ଅମ୍ନୋନର ଘରକୁ ଟିକିଏ ଯାଇ ତାହାର ଖାଇବା ପାଇଁ କିଛି ରାନ୍ଧିଦିଅ।”
Et David envoya vers Tamar dans la maison, disant: Va, je te prie, dans la maison d’Amnon, ton frère, et apprête-lui un mets.
8 ତହିଁରେ ତାମର ଆପଣା ଭାଇ ଅମ୍ନୋନର ଗୃହକୁ ଗଲା; ସେତେବେଳେ ସେ ଶଯ୍ୟାରେ ଥିଲା। ତହୁଁ ତାମର ଚକଟା ମଇଦା ନେଇ ଦଳି ତାହା ଆଗରେ ରୁଟି ପ୍ରସ୍ତୁତ କରି ତାହା ସେକିଲା।
Et Tamar alla dans la maison d’Amnon, son frère, et il était couché; et elle prit de la pâte et la pétrit, et prépara sous ses yeux des beignets, et elle cuisit les beignets.
9 ପୁଣି ସେ ପାତ୍ର ନେଇ ତାହା ଆଗରେ ତାହା ଦେଲା, ମାତ୍ର ସେ ଭୋଜନ କରିବାକୁ ମନା କଲା। ଆଉ ଅମ୍ନୋନ ସେବକଙ୍କୁ କହିଲା, “ଆମ୍ଭ ନିକଟରୁ ସମସ୍ତଙ୍କୁ ବାହାର କରିଦିଅ।” ତହିଁରେ ସମସ୍ତେ ତାହା ନିକଟରୁ ବାହାରିଗଲେ।
Et elle prit la poêle et les versa devant lui; et il refusa de manger. Et Amnon dit: Faites sortir tout homme d’auprès de moi. Et tout homme sortit d’auprès de lui.
10 ତହୁଁ ଅମ୍ନୋନ ତାମରକୁ କହିଲା, “ଖାଦ୍ୟଦ୍ରବ୍ୟ ଶୟନ-ଗୃହକୁ ଆଣ, ମୁଁ ତୁମ୍ଭ ହାତରେ ଭୋଜନ କରିବି।” ଏଥିରେ ତାମର ଆପଣା ପ୍ରସ୍ତୁତ ରୁଟି ନେଇ ତାହା ଭାଇ ଅମ୍ନୋନର ଶୟନ-ଗୃହକୁ ଗଲା।
Et Amnon dit à Tamar: Apporte le mets dans la chambre intérieure, et je mangerai de ta main. Et Tamar prit les beignets qu’elle avait préparés, et les apporta à Amnon, son frère, dans la chambre.
11 ପୁଣି ତାହାକୁ ଖୁଆଇବା ପାଇଁ ତାହା ନିକଟକୁ ନିଅନ୍ତେ, ସେ ତାମରକୁ ଧରି କହିଲା, “ଆସ, ମୋʼ ଭଉଣୀ, ମୋʼ ସଙ୍ଗରେ ଶୁଅ।”
Et elle les lui présenta à manger; et il la saisit, et lui dit: Viens, couche avec moi, ma sœur.
12 ତହିଁରେ ସେ ଉତ୍ତର କଲା, “ନା ନା, ମୋର ଭାଇ, ମୋତେ ଭ୍ରଷ୍ଟ ନ କର; କାରଣ ଇସ୍ରାଏଲ ମଧ୍ୟରେ ଏହିପରି କର୍ମ ନ କରାଯିବା ଉଚିତ। ତୁମ୍ଭେ ଏହି ମୂଢ଼ କର୍ମ ନ କର!
Et elle lui dit: Non, mon frère, ne m’humilie pas; car on ne fait point ainsi en Israël: ne fais pas cette infamie.
13 ମୁଁ ମଧ୍ୟ ଆପଣା କଳଙ୍କ କେଉଁଠାକୁ ନେଇଯିବି? ପୁଣି ତୁମ୍ଭେ ମଧ୍ୟ ଇସ୍ରାଏଲର ମୂଢ଼ମାନଙ୍କ ମଧ୍ୟରେ ଜଣକ ପରି ହେବ। ଏଣୁ ମୁଁ ବିନୟ କରୁଅଛି, ରାଜାଙ୍କ ସଙ୍ଗେ କଥାବାର୍ତ୍ତା କର, ସେ ତୁମ୍ଭ ପ୍ରତି ମୋତେ ଦେବା ପାଇଁ ଅସମ୍ମତ ହେବେ ନାହିଁ।”
Et moi, où porterais-je ma honte? Et toi, tu serais comme l’un des infâmes en Israël. Et maintenant, parle au roi, je te prie, car il ne me refusera point à toi.
14 ତଥାପି ଅମ୍ନୋନ ତାହାର ରବ ଶୁଣିଲା ନାହିଁ; ମାତ୍ର ଆପେ ତାହା ଅପେକ୍ଷା ବଳବାନ ହେବାରୁ ତାହାକୁ ବଳାତ୍କାର କରି ତାହା ସଙ୍ଗେ ଶୟନ କଲା।
Et il ne voulut pas écouter sa voix, et il fut plus fort qu’elle et l’humilia et coucha avec elle.
15 ଏଉତ୍ତାରେ ଅମ୍ନୋନ ତାହାକୁ ଅତିଶୟ ଘୃଣା କଲା; ସେ ତାହାକୁ ଯେପରି ପ୍ରେମ କରିଥିଲା, ତାʼଠାରୁ ଅଧିକ ଘୃଣା କଲା। ଏଣୁ ଅମ୍ନୋନ ତାହାକୁ କହିଲା, ଉଠ, ଯା।
Et Amnon la haït d’une très grande haine, car la haine dont il la haït était plus grande que l’amour dont il l’avait aimée. Et Amnon lui dit: Lève-toi, va-t’en.
16 ତହିଁରେ ସେ କହିଲା, “ସେପରି ନ ହେଉ! କାରଣ ତୁମ୍ଭେ ମୋʼ ପ୍ରତି ଯାହା କରିଅଛ, ତା ଅପେକ୍ଷା ମୋତେ ଏପରି ବାହାର କରିଦେବା ଅଧିକ ଅନ୍ୟାୟ!” ମାତ୍ର ସେ ତାହା କଥା ଶୁଣିବାକୁ ଅସମ୍ମତ ହେଲା।
Et elle lui dit: Il n’y a pas de raison [pour cela]; ce tort de me chasser est plus grand que l’autre que tu m’as fait. Mais il ne voulut pas l’écouter.
17 ଏଥିରେ ଅମ୍ନୋନ ଆପଣା ସେବାକାରୀ ଯୁବାକୁ ଡାକି କହିଲା, “ତାମରକୁ ଆମ୍ଭ ନିକଟରୁ ବାହାର କରି କବାଟରେ ଅର୍ଗଳ ଦିଅ।”
Et il appela son jeune homme qui le servait, et dit: Chassez donc cette [femme] dehors, de devant moi; et ferme la porte au verrou après elle.
18 ତାମର ଦେହରେ ଲମ୍ବା ଅଙ୍ଗରଖା ଥିଲା, କାରଣ ଅନୂଢ଼ା ରାଜକନ୍ୟାମାନେ ସେହି ପ୍ରକାର ବସ୍ତ୍ର ପିନ୍ଧୁଥିଲେ। ଏଥିରେ ଅମ୍ନୋନର ଦାସ ତାହାକୁ ବାହାରେ ଆଣି ତାହା ପଛେ କବାଟରେ ଅର୍ଗଳ ଦେଲା।
Et elle avait sur elle une tunique bigarrée; car les filles du roi qui étaient vierges étaient ainsi habillées de robes. Et celui qui le servait la mit dehors, et ferma la porte après elle.
19 ତହୁଁ ତାମର ଆପଣା ମସ୍ତକରେ ଭସ୍ମ ଦେଇ ତାହା ଦେହର ଲମ୍ବା ଅଙ୍ଗରଖା ଚିରିଲା, ପୁଣି ସେ ଆପଣା ମସ୍ତକରେ ହସ୍ତ ଦେଇ କ୍ରନ୍ଦନ କରୁ କରୁ ଚାଲିଗଲା।
Et Tamar prit de la poussière [et la mit] sur sa tête, et déchira la tunique bigarrée qu’elle avait sur elle, et elle mit sa main sur sa tête, et s’en alla, marchant et criant.
20 ଏଥିରେ ତାହାର ଭାଇ ଅବଶାଲୋମ ତାହାକୁ କହିଲା, “ତୁମ୍ଭ ଭାଇ ଅମ୍ନୋନ କି ତୁମ୍ଭର ବଳାତ୍କାର କରିଅଛି? ହେଉ, ଆମ୍ଭ ଭଉଣୀ, ଏବେ ତୁନି ହୁଅ, ସେ ତୁମ୍ଭର ଭାଇ; ଏ କଥା ମନେ ଧର ନାହିଁ।” ତହିଁରେ ତାମର ଉଦାସିନୀ ହୋଇ ଆପଣା ସହୋଦର ଅବଶାଲୋମର ଗୃହରେ ରହିଲା।
Et Absalom, son frère, lui dit: Est-ce que ton frère Amnon a été avec toi? Et maintenant, ma sœur, garde le silence: il est ton frère; ne prends pas cette chose à cœur. Et Tamar demeura désolée dans la maison d’Absalom, son frère.
21 ମାତ୍ର ଦାଉଦ ରାଜା ଏହିସବୁ କଥା ଶୁଣି ଅତ୍ୟନ୍ତ କ୍ରୁଦ୍ଧ ହେଲେ।
Et le roi David entendit parler de toutes ces choses, et il en fut très irrité.
22 ପୁଣି ଅବଶାଲୋମ ଅମ୍ନୋନକୁ ଭଲ କି ମନ୍ଦ କିଛି କହିଲା ନାହିଁ; କାରଣ ତାହାର ଭଉଣୀ ତାମରକୁ ବଳାତ୍କାର କରିବାରୁ ଅବଶାଲୋମ ଅମ୍ନୋନକୁ ଘୃଣା କଲା।
Et Absalom ne parla à Amnon, ni en mal, ni en bien, car Absalom haïssait Amnon, parce qu’il avait humilié Tamar, sa sœur.
23 ଏଥିଉତ୍ତାରେ ସମ୍ପୂର୍ଣ୍ଣ ଦୁଇ ବର୍ଷ ଉତ୍ତାରେ ଇଫ୍ରୟିମ ନିକଟସ୍ଥ ବାଲ-ହାସୋରରେ ଅବଶାଲୋମର ମେଷର ଲୋମ ଛେଦନ ହେଲା; ତହୁଁ ଅବଶାଲୋମ ସମସ୍ତ ରାଜପୁତ୍ରଙ୍କୁ ନିମନ୍ତ୍ରଣ କଲା।
Et il arriva, après deux années entières, qu’Absalom avait les tondeurs à Baal-Hatsor, qui est près d’Éphraïm; et Absalom invita tous les fils du roi.
24 ପୁଣି ଅବଶାଲୋମ ରାଜାଙ୍କ ନିକଟକୁ ଆସି କହିଲା, “ଦେଖନ୍ତୁ, ଆପଣଙ୍କ ଦାସର ମେଷଲୋମ ଛେଦନ ହେଉଅଛି, ଏଣୁ ମହାରାଜ ଓ ରାଜାଙ୍କ ଦାସମାନେ ଆପଣଙ୍କ ଏହି ଦାସର ସଙ୍ଗରେ ଆସନ୍ତୁ।”
Et Absalom vint vers le roi, et dit: Tu vois que ton serviteur a les tondeurs: je te prie, que le roi et ses serviteurs aillent avec ton serviteur.
25 ଏଥିରେ ରାଜା ଅବଶାଲୋମଙ୍କୁ କହିଲେ, “ନାହିଁ, ମୋହର ପୁତ୍ର, ଆମ୍ଭେ ସମସ୍ତେ ନ ଯାଉ, ଗଲେ ତୁମ୍ଭ ପ୍ରତି ଭାର ସ୍ୱରୂପ ହେବୁ।” ମାତ୍ର ସେ ବହୁତ ବାଧ୍ୟ କଲା; ତଥାପି ରାଜା ଯିବାକୁ ସମ୍ମତ ନ ହୋଇ ତାହାକୁ ଆଶୀର୍ବାଦ କଲେ।
Et le roi dit à Absalom: Non, mon fils, nous n’irons pas tous, et nous ne te serons pas à charge. Et il le pressa, mais il ne voulut pas aller; et il le bénit.
26 ଏଥିରେ ଅବଶାଲୋମ କହିଲା, “ଯେବେ ଏହା ନ ହୁଏ, ତେବେ ଆପଣ ଆମ୍ଭ ଭାଇ ଅମ୍ନୋନକୁ ଆମ୍ଭମାନଙ୍କ ସଙ୍ଗରେ ଯିବାକୁ ଦିଅନ୍ତୁ।” ତେବେ ରାଜା ତାହାକୁ କହିଲେ, “ଅମ୍ନୋନ କାହିଁକି ତୁମ୍ଭ ସଙ୍ଗେ ଯିବ?”
Et Absalom dit: Si [tu ne viens] pas, que mon frère Amnon, je te prie, vienne avec nous. Et le roi lui dit: Pourquoi irait-il avec toi?
27 ମାତ୍ର ଅବଶାଲୋମ ବାଧ୍ୟ କରିବାରୁ ରାଜା ଅମ୍ନୋନକୁ ଓ ସବୁ ରାଜପୁତ୍ରଙ୍କୁ ତାହା ସଙ୍ଗେ ପଠାଇଲେ।
Et Absalom le pressa, et il envoya avec lui Amnon et tous les fils du roi.
28 ଏଉତ୍ତାରେ ଅବଶାଲୋମ ଆପଣା ଯୁବାମାନଙ୍କୁ ଆଜ୍ଞା ଦେଇ କହିଲା, “ତୁମ୍ଭେମାନେ ଦେଖୁଥାଅ, ଦ୍ରାକ୍ଷାରସରେ ଅମ୍ନୋନର ଚିତ୍ତ ପ୍ରଫୁଲ୍ଲ ହେଲେ, ଯେତେବେଳେ ମୁଁ ତୁମ୍ଭମାନଙ୍କୁ କହିବି, ‘ଅମ୍ନୋନକୁ ମାର,’ ସେତେବେଳେ ତୁମ୍ଭେମାନେ ତାହାକୁ ବଧ କରିବ, ଭୟ କରିବ ନାହିଁ; ମୁଁ କʼଣ ତୁମ୍ଭମାନଙ୍କୁ ଆଜ୍ଞା ଦେଇ ନାହିଁ? ବଳ ବାନ୍ଧ ଓ ବିକ୍ରମଶାଳୀ ହୁଅ।”
Et Absalom commanda à ses serviteurs, disant: Faites attention, je vous prie, quand le cœur d’Amnon sera gai par le vin, et que je vous dirai: Frappez Amnon, alors tuez-le, ne craignez point; n’est-ce pas moi qui vous l’ai commandé? Fortifiez-vous, et soyez vaillants!
29 ଏଥିରେ ଅବଶାଲୋମର ଆଜ୍ଞା ପ୍ରମାଣେ ଅବଶାଲୋମର ଯୁବାମାନେ ଅମ୍ନୋନ ପ୍ରତି କଲେ। ତହୁଁ ରାଜପୁତ୍ର ସମସ୍ତେ ଉଠି ପ୍ରତ୍ୟେକେ ଆପଣା ଆପଣା ଖଚର ଉପରେ ଚଢ଼ି ପଳାଇଲେ।
Et les serviteurs d’Absalom firent à Amnon comme Absalom l’avait commandé; et tous les fils du roi se levèrent, et montèrent chacun sur son mulet et s’enfuirent.
30 ସେମାନେ ବାଟରେ ଥାଉ ଥାଉ ଦାଉଦଙ୍କ ନିକଟରେ ସମ୍ବାଦ ଉପସ୍ଥିତ ହେଲା ଯେ, “ଅବଶାଲୋମ ସମସ୍ତ ରାଜପୁତ୍ରଙ୍କୁ ବଧ କରିଅଛି, ସେମାନଙ୍କ ମଧ୍ୟରୁ ଜଣେ ଅବଶିଷ୍ଟ ନାହିଁ।”
Et il arriva, comme ils étaient en chemin, que le bruit en vint à David; on disait: Absalom a frappé tous les fils du roi, et il n’en reste pas un seul.
31 ତହିଁରେ ରାଜା ଉଠି ଆପଣା ବସ୍ତ୍ର ଚିରି ଭୂମିରେ ଲମ୍ବ ହୋଇ ପଡ଼ିଲେ ଓ ତାଙ୍କର ଦାସ ସମସ୍ତେ ଆପଣା ଆପଣା ବସ୍ତ୍ର ଚିରି ତାଙ୍କ ନିକଟରେ ଠିଆ ହେଲେ।
Et le roi se leva, et déchira ses vêtements, et se coucha par terre; et tous ses serviteurs étaient là, les vêtements déchirés.
32 ସେତେବେଳେ ଦାଉଦଙ୍କର ଭ୍ରାତା ଶିମୀୟର ପୁତ୍ର ଯୋନାଦବ୍‍ ଉତ୍ତର ଦେଇ କହିଲା, “ସେମାନେ ରାଜକୁମାର ସମସ୍ତଙ୍କୁ ବଧ କରିଅଛନ୍ତି ବୋଲି ମୋହର ପ୍ରଭୁ ବୋଧ ନ କରନ୍ତୁ; କେବଳ ଅମ୍ନୋନ ମରିଅଛି, କାରଣ ଅବଶାଲୋମର ଭଗିନୀ ତାମରକୁ ଅମ୍ନୋନ ବଳାତ୍କାର କରିବା ଦିନାବଧି ଅବଶାଲୋମର ମୁଖରେ ଏହା ସ୍ଥିରୀକୃତ ହୋଇଥିଲା।
Et Jonadab, fils de Shimha, frère de David, prit la parole et dit: Que mon seigneur ne pense pas qu’on ait tué tous les jeunes hommes, fils du roi, car Amnon seul est mort; car cela a eu lieu par l’ordre d’Absalom, qu’il avait arrêté dès le jour où [Amnon] humilia Tamar, sa sœur.
33 ଏହେତୁ ସମସ୍ତ ରାଜପୁତ୍ର ମରିଅଛନ୍ତି ବୋଲି ମୋହର ପ୍ରଭୁ ମହାରାଜ ମନରେ ନ ଘେନନ୍ତୁ; କାରଣ କେବଳ ଅମ୍ନୋନ ମରିଅଛି।”
Et maintenant, que le roi, mon seigneur, ne prenne pas ceci à cœur, disant: Tous les fils du roi sont morts; car Amnon seul est mort.
34 ଏଥିମଧ୍ୟରେ ଅବଶାଲୋମ ପଳାଇ ଯାଇଥିଲା। ଏଉତ୍ତାରେ ଯେଉଁ ଯୁବା ଲୋକ ପ୍ରହରୀକର୍ମ କରୁଥିଲା, ସେ ଅନାନ୍ତେ, ଦେଖିଲା ଯେ, ଦେଖ, ଆପଣା ପଶ୍ଚାଦ୍ଦିଗରୁ ପର୍ବତ-ପାର୍ଶ୍ୱସ୍ଥ ପଥ ଦେଇ ଅନେକ ଲୋକ ଆସୁଅଛନ୍ତି।
Et Absalom s’enfuit. Et le jeune homme qui était en sentinelle leva ses yeux et regarda; et voici, un grand peuple venait par le chemin qui était derrière lui, du côté de la montagne.
35 ତହିଁରେ ଯୋନାଦବ୍‍ ରାଜାଙ୍କୁ କହିଲା, “ଦେଖନ୍ତୁ, ରାଜପୁତ୍ରମାନେ ଆସୁଅଛନ୍ତି; ଆପଣଙ୍କ ଦାସ ଯେପରି କହିଲା, ସେପରି ହେଲା।”
Et Jonadab dit au roi: Voici les fils du roi qui viennent; selon la parole de ton serviteur, ainsi il en est arrivé.
36 ସେ ଏହି କଥା କହିବା ସମାପ୍ତ କଲାକ୍ଷଣେ ଦେଖ, ରାଜପୁତ୍ରମାନେ ଉପସ୍ଥିତ ହେଲେ ଓ ଆପଣା ଆପଣା ରବ ଉଠାଇ ରୋଦନ କଲେ; ଆଉ ରାଜା ଓ ତାଙ୍କ ଦାସମାନେ ମଧ୍ୟ ଅତିଶୟ ରୋଦନ କଲେ।
Et comme il achevait de parler, voici, les fils du roi arrivèrent, et ils élevèrent leur voix et pleurèrent; et le roi aussi, et tous ses serviteurs pleurèrent très amèrement.
37 ମାତ୍ର ଅବଶାଲୋମ ପଳାଇ ଗଶୂରର ରାଜା ଅମ୍ମୀହୂଦର ପୁତ୍ର ତଲ୍ମୟ ନିକଟକୁ ଗଲା। ପୁଣି ଦାଉଦ ପ୍ରତିଦିନ ଆପଣା ପୁତ୍ର ପାଇଁ ଶୋକ କଲେ।
Et Absalom s’enfuit, et s’en alla vers Talmaï, fils d’Ammihud, roi de Gueshur; et [David] menait deuil tous les jours sur son fils.
38 ଏହିରୂପେ ଅବଶାଲୋମ ପଳାଇ ଗଶୂରକୁ ଯାଇ ସେଠାରେ ତିନି ବର୍ଷ ରହିଲା।
Ainsi Absalom s’enfuit, et il vint à Gueshur et fut là trois ans;
39 ପୁଣି ଦାଉଦ ରାଜାଙ୍କର ପ୍ରାଣ ଅବଶାଲୋମ ଆଡ଼େ ଯିବା ଆକାଂକ୍ଷାରେ ବ୍ୟାକୁଳ ହେଲା; କାରଣ ସେ ଅମ୍ନୋନକୁ ମୃତ ଜାଣି ତାହା ବିଷୟରେ ସାନ୍ତ୍ୱନାପ୍ରାପ୍ତ ହେଲେ।
et le roi David languissait d’aller vers Absalom, car il était consolé à l’égard d’Amnon, parce qu’il était mort.

< ଦ୍ୱିତୀୟ ଶାମୁୟେଲ 13 >