< ପ୍ରଥମ ରାଜାବଳୀ 8 >
1 ଏଥିଉତ୍ତାରେ ଶଲୋମନ ଦାଉଦ-ନଗର ସିୟୋନରୁ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଆଣିବା ପାଇଁ ଇସ୍ରାଏଲର ପ୍ରାଚୀନବର୍ଗଙ୍କୁ ଓ ବଂଶସମୂହର ପ୍ରଧାନବର୍ଗଙ୍କୁ, ଅର୍ଥାତ୍, ଇସ୍ରାଏଲ-ସନ୍ତାନଗଣଙ୍କର ପିତୃଗୃହାଧିପତି ସମସ୍ତଙ୍କୁ ଯିରୂଶାଲମରେ ଶଲୋମନ ରାଜାଙ୍କ ନିକଟରେ ଏକତ୍ର କଲେ।
2 ତହିଁରେ ଏଥାନୀମ ନାମକ ସପ୍ତମ ମାସରେ ପର୍ବ ସମୟରେ ସମସ୍ତ ଇସ୍ରାଏଲ ଲୋକ ଶଲୋମନ ରାଜାଙ୍କ ନିକଟରେ ଏକତ୍ର ହେଲେ।
3 ପୁଣି, ଇସ୍ରାଏଲର ପ୍ରାଚୀନ ସମସ୍ତେ ଉପସ୍ଥିତ ହୁଅନ୍ତେ, ଯାଜକମାନେ ସିନ୍ଦୁକ ଉଠାଇଲେ।
4 ଆଉ ସେମାନେ ସଦାପ୍ରଭୁଙ୍କ ସିନ୍ଦୁକ ଓ ସମାଗମ-ତମ୍ବୁ ଓ ତମ୍ବୁରେ ଥିବା ସମସ୍ତ ପବିତ୍ର ପାତ୍ର ଆଣିଲେ; ଯାଜକ ଓ ଲେବୀୟମାନେ ଏହିସବୁ ଆଣିଲେ।
5 ତହୁଁ ରାଜା ଶଲୋମନ ଓ ତାଙ୍କ ସହିତ ତାଙ୍କ ନିକଟରେ ଏକତ୍ରିତ ସମଗ୍ର ଇସ୍ରାଏଲ-ମଣ୍ଡଳୀ ସିନ୍ଦୁକ ସମ୍ମୁଖରେ ମେଷ ଓ ଗୋରୁ ବଳିଦାନ କଲେ, ତାହା ବାହୁଲ୍ୟ ହେତୁ ଅସଂଖ୍ୟ ଓ ଅପରିମେୟ ଥିଲା।
6 ଏଉତ୍ତାରେ ଯାଜକମାନେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ତାହାର ସ୍ୱ ସ୍ଥାନକୁ, ଅର୍ଥାତ୍, ଗୃହର ମହାପବିତ୍ର ସ୍ଥାନ ମହାପବିତ୍ର ସ୍ଥାନସ୍ଥ କିରୂବମାନଙ୍କ ପକ୍ଷ ତଳକୁ ଆଣିଲେ।
7 କାରଣ, କିରୂବମାନେ ସିନ୍ଦୁକର ସ୍ଥାନ ଉପରେ ଆପଣାମାନଙ୍କ ପକ୍ଷ ବିସ୍ତାର କରିଥିଲେ, ପୁଣି, କିରୂବମାନେ ସିନ୍ଦୁକ ଓ ତହିଁ ସାଙ୍ଗୀ ଉପର ଆଚ୍ଛାଦନ କରିଥିଲେ।
8 ଆଉ ସେହି ସାଙ୍ଗୀ ଏତେ ଦୀର୍ଘ ଥିଲା ଯେ, ତହିଁର ଅଗ୍ରଭାଗ ମହାପବିତ୍ର ସ୍ଥାନ ସମ୍ମୁଖସ୍ଥ ପବିତ୍ର ସ୍ଥାନରୁ ଦେଖାଗଲା; ମାତ୍ର ବାହାରେ ଦେଖାଗଲା ନାହିଁ। ଆଜି ପର୍ଯ୍ୟନ୍ତ ତାହା ସେଠାରେ ଅଛି।
9 ଇସ୍ରାଏଲ-ସନ୍ତାନଗଣ ମିସର ଦେଶରୁ ବାହାରି ଆସିବା ବେଳେ ଓ ସଦାପ୍ରଭୁ ସେମାନଙ୍କ ସହିତ ନିୟମ କଲା ବେଳେ ହୋରେବ ନିକଟରେ ମୋଶା ଯେଉଁ ଦୁଇ ପ୍ରସ୍ତର ଫଳକ ସିନ୍ଦୁକ ମଧ୍ୟରେ ରଖିଥିଲେ, ତାହା ଛଡ଼ା ଆଉ କିଛି ତହିଁରେ ନ ଥିଲା।
10 ଆଉ, ଯାଜକମାନେ ପବିତ୍ର ସ୍ଥାନ ମଧ୍ୟରୁ ବାହାରି ଆସିଲା ଉତ୍ତାରେ ସଦାପ୍ରଭୁଙ୍କ ଗୃହ ମେଘରେ ପରିପୂର୍ଣ୍ଣ ହେଲା;
11 ତହିଁରେ ସେହି ମେଘ ସକାଶୁ ଯାଜକମାନେ ପରିଚର୍ଯ୍ୟା କରିବାକୁ ଠିଆ ହୋଇ ପାରିଲେ ନାହିଁ; କାରଣ, ସଦାପ୍ରଭୁଙ୍କ ଗୃହ ସଦାପ୍ରଭୁଙ୍କ ପ୍ରତାପରେ ପରିପୂର୍ଣ୍ଣ ହେଲା।
12 ତହୁଁ ଶଲୋମନ କହିଲେ, “ସଦାପ୍ରଭୁ ନିବିଡ଼ ମେଘରେ ବାସ କରିବେ ବୋଲି କହିଅଛନ୍ତି।
13 ମୁଁ ନିଶ୍ଚୟ ତୁମ୍ଭ ପାଇଁ ଏକ ବସତି-ଗୃହ, ତୁମ୍ଭର ଅନନ୍ତକାଳ ବାସ ନିମନ୍ତେ ଏକ ସ୍ଥାନ ନିର୍ମାଣ କରିଅଛି।”
14 ତହୁଁ ରାଜା ମୁଖ ଫେରାଇ ଇସ୍ରାଏଲର ସମଗ୍ର ସମାଜକୁ ଆଶୀର୍ବାଦ କଲେ; ପୁଣି, ଇସ୍ରାଏଲର ସମଗ୍ର ସମାଜ ଠିଆ ହେଲେ।
15 ଆଉ ସେ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଧନ୍ୟ, ଯେ ଆପଣା ମୁଖରେ ଆମ୍ଭ ପିତା ଦାଉଦଙ୍କୁ ଏହି କଥା କହିଥିଲେ ଓ ଆପଣା ହସ୍ତରେ ତାହା ସଫଳ କରିଅଛନ୍ତି, ଯଥା,
16 ‘ଆମ୍ଭେ ଆପଣା ଇସ୍ରାଏଲ ଲୋକଙ୍କୁ ମିସରରୁ ବାହାର କରି ଆଣିବା ଦିନାବଧି ଆମ୍ଭ ନାମ ସ୍ଥାପନାର୍ଥେ ଗୃହ ନିର୍ମାଣ କରିବା ପାଇଁ ଇସ୍ରାଏଲର ସମୁଦାୟ ବଂଶ ମଧ୍ୟରୁ କୌଣସି ନଗର ମନୋନୀତ କରି ନାହୁଁ; ମାତ୍ର ଆମ୍ଭେ ଆପଣା ଲୋକ ଇସ୍ରାଏଲର ଅଧ୍ୟକ୍ଷ ହେବା ପାଇଁ ଦାଉଦଙ୍କୁ ମନୋନୀତ କଲୁ।’
17 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ନାମ ଉଦ୍ଦେଶ୍ୟରେ ଗୋଟିଏ ଗୃହ ନିର୍ମାଣ କରିବାକୁ ମୋହର ପିତା ଦାଉଦଙ୍କର ସଂକଳ୍ପ ଥିଲା।
18 ମାତ୍ର, ସଦାପ୍ରଭୁ ମୋʼ ପିତା ଦାଉଦଙ୍କୁ କହିଲେ, ‘ଆମ୍ଭ ନାମ ଉଦ୍ଦେଶ୍ୟରେ ଏକ ଗୃହ ନିର୍ମାଣ କରିବାକୁ ତୁମ୍ଭର ସଂକଳ୍ପ ଅଛି, ତୁମ୍ଭର ଏହି ସଂକଳ୍ପ କରିବା ଉତ୍ତମ;
19 ତଥାପି ତୁମ୍ଭେ ସେହି ଗୃହ ନିର୍ମାଣ କରିବ ନାହିଁ; ମାତ୍ର, ତୁମ୍ଭ ଔରସଜାତ ତୁମ୍ଭ ପୁତ୍ର ଆମ୍ଭ ନାମ ଉଦ୍ଦେଶ୍ୟରେ ଗୃହ ନିର୍ମାଣ କରିବ।’
20 ସଦାପ୍ରଭୁ ଆପଣାର ଉକ୍ତ ଏହି କଥା ସଫଳ କରିଅଛନ୍ତି; କାରଣ, ସଦାପ୍ରଭୁଙ୍କ ପ୍ରତିଜ୍ଞାନୁସାରେ ମୁଁ ଆପଣା ପିତା ଦାଉଦଙ୍କର ପଦରେ ଉତ୍ପନ୍ନ ଓ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହୋଇ ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁଙ୍କ ନାମ ଉଦ୍ଦେଶ୍ୟରେ ସେହି ଗୃହ ନିର୍ମାଣ କଲି।
21 ପୁଣି, ସଦାପ୍ରଭୁ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ମିସର ଦେଶରୁ ବାହାର କରି ଆଣିବା ସମୟରେ ସେମାନଙ୍କ ସହିତ ଯେଉଁ ନିୟମ କରିଥିଲେ, ତାହାଙ୍କ ସେହି ନିୟମର ଆଧାର-ସିନ୍ଦୁକ ନିମନ୍ତେ ମୁଁ ତହିଁ ମଧ୍ୟରେ ଏକ ସ୍ଥାନ ନିରୂପଣ କରିଅଛି।”
22 ଏଥିଉତ୍ତାରେ ଶଲୋମନ ଇସ୍ରାଏଲର ସମଗ୍ର ସମାଜ ସାକ୍ଷାତରେ ସଦାପ୍ରଭୁଙ୍କ ଯଜ୍ଞବେଦି ସମ୍ମୁଖରେ ଠିଆ ହେଲେ ଓ ସ୍ୱର୍ଗ ଆଡ଼େ ଆପଣା ହସ୍ତ ବିସ୍ତାର କରି କହିଲେ;
23 “ହେ ସଦାପ୍ରଭୋ, ଇସ୍ରାଏଲର ପରମେଶ୍ୱର, ଉପରିସ୍ଥ ସ୍ୱର୍ଗରେ କିଅବା ନୀଚସ୍ଥ ପୃଥିବୀରେ ତୁମ୍ଭ ତୁଲ୍ୟ ପରମେଶ୍ୱର କେହି ନାହିଁ; ତୁମ୍ଭର ଯେଉଁ ଦାସମାନେ ସର୍ବାନ୍ତଃକରଣ ସହିତ ତୁମ୍ଭ ସମ୍ମୁଖରେ ଗମନାଗମନ କରନ୍ତି, ତୁମ୍ଭେ ସେମାନଙ୍କ ପ୍ରତି ନିୟମ ଓ ଦୟା ପାଳନ କରିଥାଅ;
24 ତୁମ୍ଭେ ଆପଣା ଦାସ ମୋʼ ପିତା ଦାଉଦଙ୍କୁ ଯାହା ପ୍ରତିଜ୍ଞା କରିଥିଲ, ତାହା ପାଳନ କରିଅଛ; ହଁ, ତୁମ୍ଭେ ଆପଣା ମୁଖରେ କହିଥିଲ, ପୁଣି, ଆଜି ଆପଣା ହସ୍ତରେ ତାହା ସଫଳ କରିଅଛ।
25 ତୁମ୍ଭେ ମୋʼ ପିତା ଆପଣା ଦାସ ଦାଉଦଙ୍କୁ କହିଥିଲ, ‘ତୁମ୍ଭେ ଆମ୍ଭ ସମ୍ମୁଖରେ ଯେପରି ଗମନାଗମନ କରିଅଛ, ସେହିପରି ତୁମ୍ଭର ସନ୍ତାନମାନେ ଯେବେ ଆମ୍ଭ ସମ୍ମୁଖରେ ଗମନାଗମନ କରିବାକୁ ଆପଣା ଆପଣା ପଥରେ କେବଳ ସାବଧାନ ହେବେ, ତେବେ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହେବା ପାଇଁ ଆମ୍ଭ ଦୃଷ୍ଟିରେ ତୁମ୍ଭ ବଂଶରେ ଲୋକର ଅଭାବ ନୋହିବ; ଏହେତୁ ହେ ସଦାପ୍ରଭୋ, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ଆପଣାର ଏହି ପ୍ରତିଜ୍ଞା ଏବେ ସଫଳ କର।’
26 ଏହେତୁ ହେ ଇସ୍ରାଏଲର ପରମେଶ୍ୱର, ମୁଁ ବିନୟ କରୁଅଛି, ତୁମ୍ଭ ଦାସ ମୋʼ ପିତା ଦାଉଦଙ୍କ ପ୍ରତି ଯେଉଁ ବାକ୍ୟ କହିଅଛ, ତାହା ଦୃଢ଼ ହେଉ।
27 ମାତ୍ର, ପରମେଶ୍ୱର କʼଣ ପୃଥିବୀରେ ନିତାନ୍ତ ବାସ କରିବେ? ଦେଖ, ସ୍ୱର୍ଗ ଓ ସ୍ୱର୍ଗର (ଉପରିସ୍ଥ) ସ୍ୱର୍ଗ ତୁମ୍ଭକୁ ଧାରଣ କରି ନ ପାରେ; ତେବେ ମୋʼ ନିର୍ମିତ ଏହି ଗୃହ କʼଣ ପାରିବ?
28 ତଥାପି, ହେ ସଦାପ୍ରଭୋ, ମୋʼ ପରମେଶ୍ୱର, ତୁମ୍ଭ ଦାସ ଆଜି ତୁମ୍ଭ ନିକଟରେ ଯେଉଁ କାକୂକ୍ତି ଓ ପ୍ରାର୍ଥନା ନିବେଦନ କରୁଅଛି, ତାହା ଶୁଣିବା ପାଇଁ ତୁମ୍ଭେ ଆପଣା ଦାସର ପ୍ରାର୍ଥନା ଓ ବିନତିରେ ମନୋଯୋଗ କର;
29 ପୁଣି, ଯେଉଁ ସ୍ଥାନ ବିଷୟରେ ତୁମ୍ଭେ କହିଅଛ, ‘ଏହିଠାରେ ଆମ୍ଭ ନାମ ରହିବ,’ ସେହି ସ୍ଥାନ, ଅର୍ଥାତ୍, ଏହି ଗୃହ ପ୍ରତି ତୁମ୍ଭର ଚକ୍ଷୁ ଦିବାରାତ୍ର ମୁକ୍ତ ଥାଉ; ଏହି ସ୍ଥାନ ଅଭିମୁଖରେ ତୁମ୍ଭ ଦାସ ଯାହା ପ୍ରାର୍ଥନା କରିବ, ତାହା ଶୁଣ।
30 ପୁଣି, ଏହି ସ୍ଥାନ ଅଭିମୁଖରେ ତୁମ୍ଭ ଦାସ ଓ ତୁମ୍ଭ ଲୋକ ଇସ୍ରାଏଲ ପ୍ରାର୍ଥନା କଲେ, ତୁମ୍ଭେ ସେମାନଙ୍କ ବିନତିରେ ମନୋଯୋଗ କର; ହଁ, ତୁମ୍ଭେ ଆପଣା ନିବାସ ସ୍ଥାନ ସ୍ୱର୍ଗରେ ଥାଇ ତାହା ଶୁଣ ଓ ଶୁଣି କ୍ଷମା କର।
31 କେହି ଆପଣା ପ୍ରତିବାସୀ ବିରୁଦ୍ଧରେ ପାପ କଲେ ଯେବେ ତାହାକୁ ଶପଥ କରାଇବା ପାଇଁ କୌଣସି ଶପଥ; ନିରୂପିତ ହୁଏ ଓ ସେ ଆସି ଏହି ଗୃହସ୍ଥିତ ତୁମ୍ଭ ଯଜ୍ଞବେଦି ସମ୍ମୁଖରେ ଶପଥ କରେ,
32 ତେବେ, ତୁମ୍ଭେ ସ୍ୱର୍ଗରେ ଥାଇ ତାହା ଶୁଣି ନିଷ୍ପତ୍ତି କର ଓ ଆପଣା ଦାସମାନଙ୍କର ବିଚାର କରି ଦୋଷୀର କର୍ମର ଫଳ ତାହାର ନିଜ ମସ୍ତକରେ ବର୍ତ୍ତାଇବା ପାଇଁ ତାହାକୁ ଦୋଷୀ କର; ପୁଣି, ଧାର୍ମିକକୁ ତାହାର ଧାର୍ମିକତା ପ୍ରମାଣେ ଫଳ ଦେବା ପାଇଁ ଧାର୍ମିକ କର।
33 ତୁମ୍ଭ ଲୋକ ଇସ୍ରାଏଲ ତୁମ୍ଭ ବିରୁଦ୍ଧରେ ପାପ କରିବା ସକାଶୁ ଶତ୍ରୁ ସମ୍ମୁଖରେ ପରାସ୍ତ ହେଲେ ଯେବେ ସେମାନେ ତୁମ୍ଭ ପ୍ରତି ପୁନର୍ବାର ଫେରି ତୁମ୍ଭ ନାମ ସ୍ୱୀକାର କରନ୍ତି ଓ ଏହି ଗୃହରେ ତୁମ୍ଭ ନିକଟରେ ପ୍ରାର୍ଥନା ଓ ବିନତି କରନ୍ତି,
34 ତେବେ, ତୁମ୍ଭେ ସ୍ୱର୍ଗରେ ଥାଇ ତାହା ଶୁଣ ଓ ଆପଣା ଲୋକ ଇସ୍ରାଏଲର ପାପ କ୍ଷମା କର ଓ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେଇଅଛ, ସେଠାକୁ ପୁନର୍ବାର ସେମାନଙ୍କୁ ଆଣ।
35 ସେମାନେ ତୁମ୍ଭ ବିରୁଦ୍ଧରେ ପାପ କରିବା ସକାଶୁ ଯେବେ ଆକାଶ ରୁଦ୍ଧ ହୋଇ ବୃଷ୍ଟି ନ ହୁଏ, ତେବେ, ତୁମ୍ଭେ ସେମାନଙ୍କୁ କ୍ଳେଶ ଦେବା ବେଳେ ଯେବେ ସେମାନେ ଏହି ସ୍ଥାନ ଅଭିମୁଖରେ ପ୍ରାର୍ଥନା କରନ୍ତି ଓ ତୁମ୍ଭ ନାମ ସ୍ୱୀକାର କରି ଆପଣା ଆପଣା ପାପରୁ ଫେରନ୍ତି,
36 ତେବେ, ତୁମ୍ଭେ ସ୍ୱର୍ଗରେ ଥାଇ ତାହା ଶୁଣ ଓ ସେମାନଙ୍କ ଗନ୍ତବ୍ୟ ସତ୍ପଥ ବିଷୟରେ ଶିକ୍ଷା ଦେଇ ଆପଣା ଦାସମାନଙ୍କର ଓ ଆପଣା ଲୋକ ଇସ୍ରାଏଲର ପାପ କ୍ଷମା କର; ପୁଣି, ତୁମ୍ଭ ଲୋକମାନଙ୍କର ଅଧିକାରାର୍ଥେ ଦତ୍ତ ତୁମ୍ଭ ଦେଶ ଉପରେ ବୃଷ୍ଟି କର।
37 ଯେବେ ଦେଶରେ ଦୁର୍ଭିକ୍ଷ ହୁଏ, ଯେବେ ମହାମାରୀ ହୁଏ, ଯେବେ ଶସ୍ୟର କ୍ଷୟ କି ମ୍ଳାନି, ପଙ୍ଗପାଳ ବା କୀଟ ହୁଏ; ଯେବେ ସେମାନଙ୍କ ଶତ୍ରୁ ସେମାନଙ୍କ ଦେଶସ୍ଥ ନଗରସମୂହରେ ସେମାନଙ୍କୁ ଅବରୋଧ କରେ; କୌଣସି ମାରୀ ହୁଏ; କୌଣସି ରୋଗ ଘଟେ;
38 ତେବେ, ଆପଣା ଆପଣା ମନଃପୀଡ଼ା ଜାଣି କୌଣସି ଲୋକ କିଅବା ତୁମ୍ଭର ସମଗ୍ର ଇସ୍ରାଏଲ ଲୋକ ଏହି ଗୃହ ଆଡ଼େ ହସ୍ତ ବିସ୍ତାର କରି କୌଣସି ପ୍ରାର୍ଥନା କି ବିନତି କଲେ;
39 ତୁମ୍ଭେ ଆପଣା ନିବାସ ସ୍ଥାନ ସ୍ୱର୍ଗରେ ଥାଇ ଶ୍ରବଣ କରି କ୍ଷମା କର ଓ ସିଦ୍ଧ କର, ଆଉ ପ୍ରତ୍ୟେକ ମନୁଷ୍ୟର ଅନ୍ତଃକରଣ ଜାଣି ତାହାର ସକଳ ଗତି ଅନୁସାରେ ପ୍ରତିଫଳ ଦିଅ; କାରଣ ତୁମ୍ଭେ, କେବଳ ତୁମ୍ଭେ ହିଁ ସମୁଦାୟ ମନୁଷ୍ୟ-ସନ୍ତାନର ଅନ୍ତଃକରଣ ଜାଣୁଅଛ;
40 ତାହାହେଲେ, ତୁମ୍ଭେ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେଇଅଛ, ତହିଁରେ ସେମାନଙ୍କ ବସତିର ସମସ୍ତ ଦିନ ସେମାନେ ତୁମ୍ଭଙ୍କୁ ଭୟ କରିବେ।
41 ଆହୁରି ଯେ ତୁମ୍ଭର ଇସ୍ରାଏଲ ଲୋକଙ୍କର ମଧ୍ୟବର୍ତ୍ତୀ ନୁହେଁ, ଏପରି କୌଣସି ବିଦେଶୀ ଯେବେ ତୁମ୍ଭ ନାମ ସକାଶୁ ଦୂର ଦେଶରୁ ଆସେ;
42 କାରଣ, ବିଦେଶୀମାନେ ତୁମ୍ଭର ମହାନାମ ଓ ତୁମ୍ଭର ବଳବାନ ହସ୍ତ ଓ ତୁମ୍ଭର ବିସ୍ତୀର୍ଣ୍ଣ ବାହୁର କଥା ଅବଶ୍ୟ ଶୁଣିବେ; ଏପରି ଲୋକ ଆସି ଯେବେ ଏହି ଗୃହ ଆଡ଼େ ପ୍ରାର୍ଥନା କରେ,
43 ତେବେ, ତୁମ୍ଭେ ଆପଣା ନିବାସ ସ୍ଥାନ ସ୍ୱର୍ଗରେ ଥାଇ ଶୁଣ ଓ ସେ ବିଦେଶୀ ତୁମ୍ଭ ନିକଟରେ ଯାହା ଯାହା ପ୍ରାର୍ଥନା କରେ, ତଦନୁସାରେ ତାହା ପ୍ରତି କର; ତହିଁରେ ତୁମ୍ଭ ଇସ୍ରାଏଲ ଲୋକ ତୁଲ୍ୟ ତୁମ୍ଭକୁ ଭୟ କରିବା ପାଇଁ ପୃଥିବୀସ୍ଥ ସମସ୍ତ ଗୋଷ୍ଠୀ ତୁମ୍ଭ ନାମ ଜ୍ଞାତ ହେବେ ଓ ଆମ୍ଭ ନିର୍ମିତ ଏହି ଗୃହ ତୁମ୍ଭ ନାମରେ ଖ୍ୟାତ ବୋଲି ଜାଣିବେ।
44 ତୁମ୍ଭେ ଆପଣା ଲୋକମାନଙ୍କୁ ଯେକୌଣସି ଆଡ଼େ ପଠାଇଲେ ଯେବେ ସେମାନେ ଆପଣା ଶତ୍ରୁ ସଙ୍ଗେ ଯୁଦ୍ଧ କରିବାକୁ ବାହାରେ ଯାଇ ତୁମ୍ଭର ମନୋନୀତ ଏହି ନଗର ଆଡ଼େ ଓ ତୁମ୍ଭ ନାମ ନିମନ୍ତେ ମୋ ନିର୍ମିତ ଏହି ଗୃହ ଆଡ଼େ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବେ,
45 ତେବେ, ତୁମ୍ଭେ ସ୍ୱର୍ଗରେ ଥାଇ ସେମାନଙ୍କ ପ୍ରାର୍ଥନା ଓ ବିନତି ଶୁଣି ସେମାନଙ୍କ ବିଚାର ନିଷ୍ପତ୍ତି କର।
46 ଯେବେ ସେମାନେ ତୁମ୍ଭ ବିରୁଦ୍ଧରେ ପାପ କରନ୍ତି, କାରଣ ଯେ ପାପ ନ କରେ, ଏପରି କୌଣସି ମନୁଷ୍ୟ ନାହିଁ, ଆଉ ତୁମ୍ଭେ ସେମାନଙ୍କ ପ୍ରତି କ୍ରୁଦ୍ଧ ହୋଇ ସେମାନଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କଲେ ଯେବେ ଶତ୍ରୁଗଣ ସେମାନଙ୍କୁ ବନ୍ଦୀ କରି ଦୂରସ୍ଥ ଅବା ନିକଟସ୍ଥ ଶତ୍ରୁ ଦେଶକୁ ନେଇଯାʼନ୍ତି;
47 ତେବେ ସେମାନେ ଯେଉଁ ଦେଶକୁ ବନ୍ଦୀ ରୂପେ ନୀତ ହୁଅନ୍ତି, ସେହି ସ୍ଥାନରେ ଯେବେ ସେମାନେ ମନେ ମନେ ବିବେଚନା କରି ଅନୁତାପ କରନ୍ତି ଓ ଯେଉଁମାନେ ସେମାନଙ୍କୁ ବନ୍ଦୀ କରି ନେଇଗଲେ, ସେମାନଙ୍କ ଦେଶରେ ତୁମ୍ଭ ନିକଟରେ ବିନତି କରି କହନ୍ତି, ‘ଆମ୍ଭେମାନେ ପାପ କଲୁ ଓ ବିପଥଗାମୀ ହେଲୁ ଓ ଦୁଷ୍ଟପଣ କଲୁ;’
48 ଆଉ, ଯେଉଁ ଶତ୍ରୁମାନେ ସେମାନଙ୍କୁ ବନ୍ଦୀ କରି ନେଇଗଲେ, ସେମାନଙ୍କ ଦେଶରେ ଥାଇ ଯେବେ ସେମାନେ ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ତୁମ୍ଭ ପ୍ରତି ଫେରନ୍ତି, ପୁଣି, ତୁମ୍ଭେ ସେମାନଙ୍କ ପୂର୍ବପୁରୁଷଗଣକୁ ଯେଉଁ ଦେଶ ଦେଇଅଛ, ଆପଣାମାନଙ୍କର ସେହି ଦେଶ ଆଡ଼େ ଓ ତୁମ୍ଭ ମନୋନୀତ ନଗର ଆଡ଼େ ଓ ତୁମ୍ଭ ନାମ ନିମନ୍ତେ ମୋʼ ନିର୍ମିତ ଗୃହ ଆଡ଼େ ମୁଖ କରି ତୁମ୍ଭ ନିକଟରେ ପ୍ରାର୍ଥନା କରନ୍ତି,
49 ତେବେ ତୁମ୍ଭେ ଆପଣା ନିବାସ ସ୍ଥାନ ସ୍ୱର୍ଗରେ ଥାଇ ସେମାନଙ୍କ ପ୍ରାର୍ଥନା ଓ ବିନତି ଶୁଣ ଓ ସେମାନଙ୍କ ବିଚାର ନିଷ୍ପତ୍ତି କର;
50 ପୁଣି, ତୁମ୍ଭ ବିରୁଦ୍ଧରେ ପାପକାରୀ ଆପଣା ଲୋକମାନଙ୍କୁ ଓ ତୁମ୍ଭ ବିରୁଦ୍ଧରେ କୃତ ସେମାନଙ୍କର ସମସ୍ତ ଅଧର୍ମ କ୍ଷମା କର; ପୁଣି, ଯେଉଁମାନେ ସେମାନଙ୍କୁ ବନ୍ଦୀ କରି ନେଇଗଲେ, ସେମାନେ ଯେପରି ଦୟା କରିବେ, ଏଥିପାଇଁ ସେମାନଙ୍କ ଦୃଷ୍ଟିରେ ସେମାନଙ୍କୁ ଦୟାପାତ୍ର କର।
51 କାରଣ, ସେମାନେ ତୁମ୍ଭର ଲୋକ ଓ ତୁମ୍ଭର ଅଧିକାର, ତୁମ୍ଭେ ସେମାନଙ୍କୁ ମିସରରୁ, ଲୌହ-ଅଗ୍ନିକୁଣ୍ଡ ମଧ୍ୟରୁ ଆଣିଅଛ;
52 ତୁମ୍ଭ ଦାସର ବିନତି ପ୍ରତି ଓ ତୁମ୍ଭ ଲୋକ ଇସ୍ରାଏଲର ବିନତି ପ୍ରତି ତୁମ୍ଭର ଚକ୍ଷୁ ପ୍ରସନ୍ନ ଥାଉ ଓ ସେମାନେ ଯେକୌଣସି ସମୟରେ ତୁମ୍ଭକୁ ଡାକି ପ୍ରାର୍ଥନା କରନ୍ତି, ସେସମୟରେ ତାହା ଶୁଣ।
53 କାରଣ, ହେ ପ୍ରଭୋ ସଦାପ୍ରଭୋ, ତୁମ୍ଭେ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ମିସରରୁ ବାହାର କରି ଆଣିବା ସମୟରେ ଆପଣା ଦାସ ମୋଶାଙ୍କ ହସ୍ତରେ ଯେପରି କହିଥିଲ, ତଦନୁସାରେ ତୁମ୍ଭେ ସେମାନଙ୍କୁ ଆପଣା ଅଧିକାର ଦେବା ପାଇଁ ପୃଥିବୀସ୍ଥ ସମସ୍ତ ଗୋଷ୍ଠୀ ମଧ୍ୟରୁ ପୃଥକ କରିଅଛ।”
54 ଏଥିଉତ୍ତାରେ ଶଲୋମନ ସଦାପ୍ରଭୁଙ୍କ ନିକଟରେ ଏହିସବୁ ପ୍ରାର୍ଥନା ଓ ବିନତି-ନିବେଦନ କରିବାର ସମାପ୍ତ କରନ୍ତେ, ସେ ସଦାପ୍ରଭୁଙ୍କ ଯଜ୍ଞବେଦି ସମ୍ମୁଖରେ ଜାନୁପାତରୁ ଓ ସ୍ୱର୍ଗ ଆଡ଼େ ହସ୍ତ-ବିସ୍ତାରକରଣରୁ ଉଠିଲେ।
55 ପୁଣି, ସେ ଠିଆ ହୋଇ ଉଚ୍ଚସ୍ୱରରେ ଇସ୍ରାଏଲର ସମଗ୍ର ସମାଜକୁ ଆଶୀର୍ବାଦ କରି କହିଲେ,
56 “ଯେଉଁ ସଦାପ୍ରଭୁ ଆପଣାର ସକଳ ପ୍ରତିଜ୍ଞାନୁସାରେ ନିଜ ଲୋକ ଇସ୍ରାଏଲକୁ ବିଶ୍ରାମ ଦେଇଅଛନ୍ତି, ସେ ଧନ୍ୟ ହେଉନ୍ତୁ; ସେ ଆପଣା ଦାସ ମୋଶାଙ୍କ ହସ୍ତରେ ଯେ ଯେ ପ୍ରତିଜ୍ଞା କରିଥିଲେ, ସେହି ସକଳ ଉତ୍ତମ ପ୍ରତିଜ୍ଞାର ଏକ କଥା ହିଁ ବିଫଳ ହୋଇ ନାହିଁ।
57 ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କ ପିତୃଲୋକଙ୍କ ସଙ୍ଗେ ଯେପରି ଥିଲେ, ସେହିପରି ଆମ୍ଭମାନଙ୍କ ସଙ୍ଗେ ସଙ୍ଗେ ଥାଉନ୍ତୁ; ସେ ଆମ୍ଭମାନଙ୍କୁ ତ୍ୟାଗ ନ କରନ୍ତୁ, କିଅବା ଆମ୍ଭମାନଙ୍କଠାରୁ ଦୂରବର୍ତ୍ତୀ ନ ହେଉନ୍ତୁ।
58 ତାହାଙ୍କର ସମସ୍ତ ପଥରେ ଚାଲିବା ପାଇଁ ଓ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଦତ୍ତ ତାହାଙ୍କ ସମସ୍ତ ଆଜ୍ଞା, ବିଧି ଓ ଶାସନ ପାଳନ କରିବା ପାଇଁ ସେ ଆମ୍ଭମାନଙ୍କ ଅନ୍ତଃକରଣକୁ ଆପଣା ପ୍ରତି ଆକର୍ଷଣ କରନ୍ତୁ।
59 ଆଉ, ମୁଁ ଏହି ଯେସବୁ କଥାରେ ସଦାପ୍ରଭୁଙ୍କ ସମ୍ମୁଖରେ ନିବେଦନ କଲି, ତାହା ଦିବାରାତ୍ର ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୋଚରରେ ଥାଉ, ପୁଣି, ପ୍ରତିଦିନର ପ୍ରୟୋଜନାନୁସାରେ ସେ ଆପଣା ଦାସର ବିଚାର ଓ ଆପଣା ଲୋକ ଇସ୍ରାଏଲର ବିଚାର ନିଷ୍ପତ୍ତି କରନ୍ତୁ;
60 ତହିଁରେ ସଦାପ୍ରଭୁ ଯେ ପରମେଶ୍ୱର, ତାହାଙ୍କ ଛଡ଼ା ଅନ୍ୟ ନାହିଁ, ଏହା ପୃଥିବୀସ୍ଥ ସମୁଦାୟ ଗୋଷ୍ଠୀ ଜ୍ଞାତ ହେବେ।
61 ଏହେତୁ ଆଜିର ନ୍ୟାୟ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ବିଧିରୂପ ପଥରେ ଚାଲିବା ପାଇଁ ଓ ତାହାଙ୍କ ଆଜ୍ଞା ପାଳନ କରିବା ପାଇଁ ତୁମ୍ଭମାନଙ୍କ ଅନ୍ତଃକରଣ ତାହାଙ୍କଠାରେ ସିଦ୍ଧ ଥାଉ।”
62 ଏଉତ୍ତାରେ ରାଜା ଓ ତାଙ୍କ ସଙ୍ଗେ ସମଗ୍ର ଇସ୍ରାଏଲ ସଦାପ୍ରଭୁଙ୍କ ସମ୍ମୁଖରେ ବଳି ଉତ୍ସର୍ଗ କଲେ।
63 ପୁଣି, ଶଲୋମନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବାଇଶ ହଜାର ଗୋରୁ ଓ ଏକ ଲକ୍ଷ କୋଡ଼ିଏ ହଜାର ମେଷ ମଙ୍ଗଳାର୍ଥକ ବଳି ନିମନ୍ତେ ଉତ୍ସର୍ଗ କଲେ। ଏହିରୂପେ ରାଜା ଓ ଇସ୍ରାଏଲର ସମସ୍ତ ସନ୍ତାନ ସଦାପ୍ରଭୁଙ୍କ ଗୃହ ପ୍ରତିଷ୍ଠା କଲେ।
64 ସେହି ଦିନ ରାଜା ସଦାପ୍ରଭୁଙ୍କ ଗୃହ ସମ୍ମୁଖସ୍ଥ ପ୍ରାଙ୍ଗଣର ମଧ୍ୟଦେଶ ପବିତ୍ର କଲେ; କାରଣ, ସେଠାରେ ସେ ହୋମବଳି, ଭକ୍ଷ୍ୟ ନୈବେଦ୍ୟ ଓ ମଙ୍ଗଳାର୍ଥକ ବଳିର ମେଦ ଉତ୍ସର୍ଗ କଲେ; ଯେହେତୁ ହୋମବଳି, ଭକ୍ଷ୍ୟ ନୈବେଦ୍ୟ ଓ ମଙ୍ଗଳାର୍ଥକ ବଳିର ମେଦ ଧରିବା ପାଇଁ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ପିତ୍ତଳମୟ ଯଜ୍ଞବେଦି ସାନ ଥିଲା।
65 ସେସମୟରେ ଶଲୋମନ ଓ ତାଙ୍କ ସଙ୍ଗେ ହମାତ୍ର ପ୍ରବେଶ ସ୍ଥାନଠାରୁ ମିସରର ନଦୀ ପର୍ଯ୍ୟନ୍ତ ସମଗ୍ର ଇସ୍ରାଏଲର ମହାସମାଜ ସାତ ଦିନ ଆଉ ସାତ ଦିନ, ଏପରି ଚଉଦ ଦିନ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସମ୍ମୁଖରେ ଉତ୍ସବ କଲେ।
66 ଅଷ୍ଟମ ଦିନରେ ସେ ଲୋକମାନଙ୍କୁ ବିଦାୟ କରନ୍ତେ, ସେମାନେ ରାଜାଙ୍କୁ ଧନ୍ୟବାଦ କଲେ, ପୁଣି, ସଦାପ୍ରଭୁ ଆପଣା ଦାସ ଦାଉଦଙ୍କ ପ୍ରତି ଓ ଆପଣା ଲୋକ ଇସ୍ରାଏଲ ପ୍ରତି ଯେସବୁ ମଙ୍ଗଳ ଦେଖାଇଥିଲେ, ତହିଁ ସକାଶୁ ଆନନ୍ଦିତ ଓ ହୃଷ୍ଟଚିତ୍ତ ହୋଇ ଆପଣା ଆପଣା ତମ୍ବୁକୁ ଗଲେ।