< ପ୍ରଥମ ରାଜାବଳୀ 5 >

1 ଏଥିଉତ୍ତାରେ ସୋରର ରାଜା ହୂରମ୍‍ ଶଲୋମନଙ୍କ ନିକଟକୁ ଆପଣା ଦାସମାନଙ୍କୁ ପଠାଇଲା; କାରଣ ଲୋକମାନେ ତାଙ୍କ ପିତାଙ୍କର ବଦଳେ ତାଙ୍କୁ ରାଜାଭିଷିକ୍ତ କଲେ ବୋଲି ସେ ଶୁଣିଥିଲା; ଆଉ ଦାଉଦ ସର୍ବଦା ହୂରମ୍‍ର ପ୍ରିୟପାତ୍ର ଥିଲେ।
And Hiram king of Tyre sent his servants to Solomon, for he had heard that they had anointed him king in the place of his father, for Hiram was ever a devotee of David.
2 ଏଣୁ ଶଲୋମନ ହୂରମ୍‍ ନିକଟକୁ ଏହି କଥା କହି ପଠାଇଲେ,
And Solomon sent to Hiram, saying,
3 “ଆପଣ ଜାଣନ୍ତି, ମୋʼ ପିତା ଦାଉଦ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନାମ ଉଦ୍ଦେଶ୍ୟରେ ଗୋଟିଏ ଗୃହ ନିର୍ମାଣ କରି ପାରିଲେ ନାହିଁ, କାରଣ ସଦାପ୍ରଭୁ (ଶତ୍ରୁମାନଙ୍କୁ) ତାଙ୍କର ପଦତଳସ୍ଥ କରିବା ପର୍ଯ୍ୟନ୍ତ ତାଙ୍କ ଚାରିଆଡ଼େ ଯୁଦ୍ଧ ଘେରିଥିଲା।
Thou know how that David my father could not build a house for the name of Jehovah his God for the wars which were about him on every side, until Jehovah put them under the soles of his feet.
4 ମାତ୍ର ଏବେ ସଦାପ୍ରଭୁ ମୋʼ ପରମେଶ୍ୱର ଚତୁର୍ଦ୍ଦିଗରେ ମୋତେ ବିଶ୍ରାମ ଦେଇଅଛନ୍ତି; ବିପକ୍ଷ କେହି ନାହିଁ, ବା ବିପଦ-ଘଟଣା କିଛି ନାହିଁ।
But now Jehovah my God has given me rest on every side; there is neither adversary, nor evil occurrence.
5 ଏହେତୁ ଦେଖନ୍ତୁ, ସଦାପ୍ରଭୁ ମୋʼ ପରମେଶ୍ୱରଙ୍କ ନାମ ଉଦ୍ଦେଶ୍ୟରେ ମୁଁ ଗୋଟିଏ ଗୃହ ନିର୍ମାଣ କରିବାକୁ ମନସ୍ଥ କରୁଅଛି, କାରଣ ସଦାପ୍ରଭୁ ମୋʼ ପିତା ଦାଉଦଙ୍କୁ କହିଥିଲେ, ‘ଆମ୍ଭେ ତୁମ୍ଭ ବଦଳେ ତୁମ୍ଭର ଯେଉଁ ପୁତ୍ରକୁ ତୁମ୍ଭ ସିଂହାସନରେ ବସାଇବା, ସେ ଆମ୍ଭ ନାମ ଉଦ୍ଦେଶ୍ୟରେ ଗୃହ ନିର୍ମାଣ କରିବ।’
And, behold, I purpose to build a house for the name of Jehovah my God, as Jehovah spoke to David my father, saying, Thy son, whom I will set upon thy throne in thy place, he shall build the house for my name.
6 ଏଣୁ ଏବେ ମୋʼ ପାଇଁ ଲିବାନୋନରୁ ଏରସ ବୃକ୍ଷ କାଟିବାକୁ ଆପଣ ଲୋକମାନଙ୍କୁ ଆଜ୍ଞା ଦେଉନ୍ତୁ; ପୁଣି, ମୋʼ ଦାସମାନେ ଆପଣଙ୍କ ଦାସମାନଙ୍କ ସଙ୍ଗରେ ଥିବେ; ଆଉ ଆପଣ ଯାହା କହିବେ, ତଦନୁସାରେ ଆପଣଙ୍କ ଦାସମାନଙ୍କ ପାଇଁ ମୁଁ ଆପଣଙ୍କୁ ମୂଲ ଦେବି; କାରଣ, ଆପଣ ଜାଣନ୍ତି ଯେ, କାଠ କାଟିବା କାର୍ଯ୍ୟରେ ସୀଦୋନୀୟମାନଙ୍କ ପରି ନିପୁଣ ଲୋକ ଆମ୍ଭମାନଙ୍କ ମଧ୍ୟରେ କେହି ନାହିଁ।”
Now therefore command thou that they cut for me cedar trees out of Lebanon. And my servants shall be with thy servants. And I will give thee wages for thy servants according to all that thou shall say, for thou know that there is not among us any that knows how to cut timber like the Sidonians.
7 ସେତେବେଳେ ହୂରମ୍‍ ଶଲୋମନଙ୍କର ଏହି କଥା ଶୁଣନ୍ତେ, ଅତି ଆନନ୍ଦିତ ହୋଇ କହିଲା, “ସଦାପ୍ରଭୁ ଆଜି ଧନ୍ୟ ହେଉନ୍ତୁ, ସେ ଏହି ମହାଗୋଷ୍ଠୀ ଉପରେ ଦାଉଦଙ୍କୁ ଏକ ଜ୍ଞାନବାନ ପୁତ୍ର ଦେଇଅଛନ୍ତି।”
And it came to pass, when Hiram heard the words of Solomon, that he rejoiced greatly, and said, Blessed be Jehovah this day, who has given to David a wise son over this great people.
8 ଏଉତ୍ତାରେ ହୂରମ୍‍ ଶଲୋମନଙ୍କ ନିକଟକୁ କହି ପଠାଇଲା, “ଆପଣ ମୋʼ ନିକଟକୁ ଯେଉଁ କଥା କହି ପଠାଇଲେ, ତାହା ମୁଁ ଶୁଣିଲି; ମୁଁ ଏରସ ଓ ଦେବଦାରୁ କାଷ୍ଠ ବିଷୟରେ ଆପଣଙ୍କର ସମସ୍ତ ବାଞ୍ଛା ସଫଳ କରିବି।
And Hiram sent to Solomon, saying, I have heard that which thou have sent to me. I will do all thy desire concerning timber of cedar, and concerning timber of fir.
9 ମୋʼ ଦାସମାନେ ଲିବାନୋନଠାରୁ ସମୁଦ୍ର ପର୍ଯ୍ୟନ୍ତ ତାହା ଆଣିବେ; ପୁଣି, ଆପଣ ଯେଉଁ ସ୍ଥାନ ନିରୂପଣ କରିବେ, ସେଠାକୁ ମୁଁ ଭେଳା ବାନ୍ଧି ସମୁଦ୍ର ପଥରେ ପଠାଇ ସେଠାରେ ତାହା ଫିଟାଇଦେବି, ତହୁଁ ଆପଣ ନେଇଯିବେ; ଆଉ ଆପଣ ମୋʼ ଗୃହ ପାଇଁ ଖାଦ୍ୟଦ୍ରବ୍ୟ ଯୋଗାଇ ମୋʼ ବାଞ୍ଛା ସଫଳ କରିବେ।”
My servants shall bring them down from Lebanon to the sea. And I will make them into rafts to go by sea to the place that thou shall appoint me, and will cause them to be broken up there, and thou shall receive them. And thou shall accomplish my desire in giving food for my household.
10 ଏହିରୂପେ ହୂରମ୍‍ ଶଲୋମନଙ୍କର ସମସ୍ତ ବାଞ୍ଛାନୁସାରେ ତାଙ୍କୁ ଏରସ ଓ ଦେବଦାରୁ କାଷ୍ଠ ଦେଲା।
So Hiram gave Solomon timber of cedar and timber of fir according to all his desire.
11 ପୁଣି, ଶଲୋମନ ହୂରମ୍‍ ଗୃହର ଖାଦ୍ୟ ନିମନ୍ତେ ତାହାକୁ କୋଡ଼ିଏ ହଜାର ମହଣ ଗହମ ଓ କୋଡ଼ିଏ ହଜାର ମହଣ ପେଷା ତେଲ ଦେଲେ; ଏହିରୂପେ ବର୍ଷକୁ ବର୍ଷ ଶଲୋମନ ହୂରମ୍‍କୁ ଦେଲେ।
And Solomon gave Hiram twenty thousand measures of wheat for food to his household, and twenty measures of pure oil; thus Solomon gave to Hiram year by year.
12 ପୁଣି, ସଦାପ୍ରଭୁ ଆପଣା ପ୍ରତିଜ୍ଞାନୁସାରେ ଶଲୋମନଙ୍କୁ ଜ୍ଞାନ ଦେଲେ; ଆଉ ହୂରମ୍‍ ଓ ଶଲୋମନଙ୍କ ମଧ୍ୟରେ ସନ୍ଧି ଥିଲା ଓ ସେ ଦୁହେଁ ପରସ୍ପର ନିୟମ କଲେ।
And Jehovah gave Solomon wisdom, as he promised him. And there was peace between Hiram and Solomon, and the two made a league together.
13 ଏଥିଉତ୍ତାରେ ଶଲୋମନ ରାଜା ସମୁଦାୟ ଇସ୍ରାଏଲ ମଧ୍ୟରୁ ବେଠିକର୍ମ ନିମନ୍ତେ ଲୋକ ସଂଗ୍ରହ କଲେ; ତହିଁରେ ତିରିଶ ହଜାର ଲୋକ ସଂଗୃହୀତ ହେଲେ।
And king Solomon raised a conscription out of all Israel, and the conscription was thirty thousand men.
14 ପୁଣି, ସେ ପାଳି ଅନୁସାରେ ମାସକୁ ଦଶ ହଜାର ଲୋକ ଲିବାନୋନକୁ ପଠାଇଲେ; ସେମାନେ ମାସେ ଲେଖାଏଁ ଲିବାନୋନରେ ଓ ଦୁଇ ମାସ ଲେଖାଏଁ ଘରେ ରହିଲେ ଓ ଅଦୋନୀରାମ୍‍ ବେଠିକର୍ମକାରୀମାନଙ୍କର ଅଧ୍ୟକ୍ଷ ଥିଲା।
And he sent them to Lebanon, ten thousand a month by courses. They were in Lebanon a month, and at home two months. And Adoniram was over the men subject to task work.
15 ପୁଣି, ଶଲୋମନଙ୍କର ସତୁରି ହଜାର ଭାରବାହକ ଓ ପର୍ବତରେ ଅଶୀ ହଜାର ପଥର-କଟାଳୀ ଥିଲେ।
And Solomon had seventy thousand who bore burdens, and eighty thousand who were hewers in the mountains,
16 ଏହାଛଡ଼ା କର୍ମକାରୀ ଲୋକମାନଙ୍କ ଉପରେ ଶଲୋମନଙ୍କର ତିନି ହଜାର ତିନି ଶହ ପ୍ରଧାନ କାର୍ଯ୍ୟାଧ୍ୟକ୍ଷ ନିଯୁକ୍ତ ଥିଲେ।
besides Solomon's chief officers who were over the work: three thousand and three hundred who bore rule over the people that labored in the work.
17 ପୁଣି, ପ୍ରସ୍ତୁତ ପ୍ରସ୍ତରରେ ଗୃହର ଭିତ୍ତିମୂଳ ସ୍ଥାପନ କରିବା ନିମନ୍ତେ ସେମାନେ ରାଜାଜ୍ଞାରେ ବୃହତ ପ୍ରସ୍ତର ଓ ମୂଲ୍ୟବାନ ପ୍ରସ୍ତର ଖୋଳିଲେ।
And the king commanded, and they hewed out great stones, costly stones, to lay the foundation of the house with shaped stone.
18 ଆଉ ଶଲୋମନଙ୍କର, ହୂରମ୍‍ର ରାଜମିସ୍ତ୍ରୀମାନେ ଓ ଗିବ୍ଲୀୟ ଲୋକମାନେ ସେସବୁର ଗଠନ କଲେ, ଏହିରୂପେ ସେମାନେ ଗୃହ ନିର୍ମାଣ ନିମନ୍ତେ କାଷ୍ଠ ଓ ପ୍ରସ୍ତର ପ୍ରସ୍ତୁତ କଲେ।
And Solomon's builders and Hiram's builders and the Gebalites fashioned them, and prepared the timber and the stones to build the house.

< ପ୍ରଥମ ରାଜାବଳୀ 5 >